ଜେଲ୍ ଆଗରୁ ଗଞ୍ଜେଇ ବେପରୀକୁ ମାଡି ବସିଲା ପୁଲିସ

ଜେଲରେ ଥିବା ସହଯୋଗୀଙ୍କୁ ଦେଖା କରିବାକୁ ଆସିଥିବା ବେଳେ ପୁଲିସ ଜଣେ ନିଶା ମାଫିଆକୁ ମାଡି ବସିଛି । କମିଶନରେଟ ପୁଲିସର ସ୍ପେଶାଲ କ୍ରାଇମ ୟୁନିଟ କୁଖ୍ୟାତ ଗଞ୍ଜେଇ ମାଫିଆ ରାହୁଲ ସେଠୀକୁ ଝାରପଡା ଜେଲ ସାମ୍ନାରୁ ଉଠାଇନେଇ ଗିରଫ କରିଛି । ତା’ ବିରୋଧରେ ଏକ ମାମଲା ରୁଜୁ କରି ପୁଲିସ ତାକୁ କୋର୍ଟ ଚାଲାଣ କରିଛି ।

ପୁଲିସ ସୂଚନା ଅନୁସାରେ, ଗଞ୍ଜେଇ ମାଫିଆ ରାହୁଲ ସେଠୀ ମାଲକାନଗିରି ଚିତ୍ରକୋଣ୍ଡା ଅଞ୍ଚଳରୁ ଗଞ୍ଜେଇ ଆଣି ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରୁଥିଲେ । ବିଶେଷ କରି ଗଞ୍ଜେଇକୁ ସେ ବିହାର, ଝାରଖଣ୍ଡ, ଦିଲ୍ଲୀକୁ ପଠାଇ ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିଲା । ଏଥିସହ ଓଡିଶାର ବିଭିନ୍ନ ଅଞ୍ଚଳରେ ମଧ୍ୟ ଗଞ୍ଜେଇ ଚୋରା କାରବାର କରୁଥିଲେ । ସଡକ ପଥରେ ନିଜର କଳା ସାମ୍ରାଜ୍ୟକୁ ବିସ୍ତାର କରୁଥିଲେ । ସେହି ପଇସାରେ ସେ ଅୟସ୍ କରୁଥିଲା । ଦାମୀ ହୋଟେଲରେ ରହିବା ସହ ହୁକ୍କା ବାରରେ ମୌଜମସ୍ତି କରୁଥିଲା ।

ରାହୁଲଙ୍କ କାରବାର ସମ୍ପର୍କରେ ଖବରପାଇ ଭୁବନେଶ୍ୱର କମିଶନରେଟ୍ ପୁଲିସର ସ୍ପେଶାଲ କ୍ରାଇମ ୟୁନିଟ୍ ତା’ ଉପର ନଗର ରଖିଥିଲା । ଗତ ଫେବ୍ରୁଆରୀ ୧୧ ତାରିଖରେ ରାହୁଲର ସହଯୋଗୀମାନେ ଭୁବନେଶ୍ୱର ଆସୁଥିବା ବେଳେ ପୁଲିସ ଚଢାଉ କରି ୩ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କଠାରୁ ୩୦୦ କେଜି ଗଞ୍ଜେଇ ଜବତ କରିଥିଲା । ସେମାନଙ୍କୁ ଜେରା ବେଳେ ରାହୁଲଙ୍କ ସମ୍ପର୍କରେ ପୁଲିସ ପୂରା ତଥ୍ୟ ପାଇଥିଲା । ପରେ ୩ ଅଭିଯୁକ୍ତଙ୍କୁ ଝାରପଡା ଜେଲ୍‌କୁ ପଠାଇ ଦେଇଥିଲା ।

ହେଲେ ଗଞ୍ଜେଇ ମାଫିଆ ରାହୁଲଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ କରୁଥିଲେ ମଧ୍ୟ ସେ ଧରା ପଡୁନଥିଲା । କିନ୍ତୁ ଗତକାଲି(ଗୁରୁବାର) ରାହୁଲ ତା’ର ସାଥୀଙ୍କୁ ଦେଖା କରିବା ପାଇଁ ଝାରପଡା ଜେଲକୁ ଆସିଥିଲେ । ଏ ସମ୍ପର୍କରେ କମିଶନରେଟ୍ ପୁଲିସ ଜାଣିପାରି ତାଙ୍କୁ ମାଡି ବସିଥିଲା । ପୁଲିସ ତା’ଠାରୁ ଦୁଇଟି ମୋବାଇଲ୍ ଓ ଗୋଟିଏ କାର ଜବତ କରିଛି । ସେ ୩ରୁ ୪ ବର୍ଷ ହେଲା ଏହି କାରବାରରେ ଲିପ୍ତ ଥିବା ପୁଲିସ୍ ଜାଣିବାକୁ ପାଇଛି । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ଏହି ଗ୍ୟାଙ୍ଗର ଅନ୍ୟମାନଙ୍କୁ ଧରିବାକୁ ପୁଲିସ ଉଦ୍ୟମ କରୁଛି ।

Leave A Reply

Your email address will not be published.