ଯୁବକଙ୍କୁ ହତ୍ୟା ଘଟଣା: ହତ୍ୟାକାରୀ କାହ୍ନା ଓ ପ୍ରେମିକା ଗିରଫ

ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ରାଜଧାନୀରେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି । ଏହି ଘଟଣାରେ ଲକ୍ଷ୍ମୀସାଗର ପୋଲିସ ମୁଖ୍ୟ ହତ୍ୟାକାରୀ ସହ ତା’ ପ୍ରେମିକାକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ୟୁନିଟ-୫ କେଶରୀନଗରରେ ରହୁଥିବା କାହ୍ନା ପ୍ରଧାନ ଓରଫ ପିଙ୍କୁ ଓ ଚିନ୍ତାମଣିଶ୍ୱର ଚମ୍ପା ପୋଖରୀ ଅଞ୍ଚଳର ନିହାରିକା ଦାସ । ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ, ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଚମ୍ପା ପୋଖରୀ ନିକଟରେ ରହୁଥିବା ଗୌତ୍ତମ ସାହୁ ଓ ଅଞ୍ଜନ ବେହେରା କକଟେଲ ବଏ ଭାବେ କାମ କରନ୍ତି । ସେହି ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କୁ ଗୌତମ ଭଲ ପାଉଥିଲେ । ସେହି ଯୁବତୀଙ୍କୁ ୟୁନିଟ-୫ ଅଞ୍ଚଳର ପିଙ୍କୁ ମଧ୍ୟ ପ୍ରେମ କରୁଥିଲା । ଏହି ତ୍ରିକୋଣୀୟ ପ୍ରେମକୁ ନେଇ ପିଙ୍କୁ ଓ ଗୌତମ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା । ଏପରିକି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହୋଇଥିଲା ।

ଗତ ୧୬ ତାରିଖ ରାତିରେ ପିଙ୍କୁ, ନିାରିକା ତାର ୩/୪ଜଣ ସହଯୋଗୀଙ୍କ ସହ ଚମ୍ପା ପୋଖରୀ ନିକଟରେ ଠଆ ହୋଇଥିଲେ । ରାତି ପ୍ରାୟ ସାଢେ ଗୋଟାଏ ବେଳେ ଗୌତମ ଓ ଅଞ୍ଜନ ଜଟଣୀରୁ ଏକ ବାହାଘର ଭୋଜି ସାରି ଘରକୁ ଫେରୁଥିଲେ । ତାଙ୍କ ଘର ପାଖରେ ପିଙ୍କୁ ଓ ଅନ୍ୟମାନଙ୍କୁ ଦେଖି କାହିଁକି ଏଠାରେ ଠିଆ ହୋଇଛ ବୋଲି କହିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପିଙ୍କୁ ଏକ ଖଣ୍ଡାରେ ସେମାନଙ୍କୁ ଗୋଡାଇ ହାଣିଥିଲା ।

ଖଣ୍ଡା ଚୋଟରୁ ଗୌତମ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅଞ୍ଜନ ଶରୀରରେ ଗଭୀର ଆଘାତ ଲାଗିଥିଲା । ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡି ଚିତ୍କାର କରିବାରୁ ଆଖପାଖ ଲୋକେ ଉଠି ଆସିଥିଲେ । ଫଳରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଲୋକେ ଅଞ୍ଜନକୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.