କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲା ବିଜେଡି

ସମ୍ବଲପୁରରେ ବିଜେପି ସାଂସଦ ପ୍ରାର୍ଥୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ଜୋରଦାର ପ୍ରଚାର କରୁଥିବାବେଳେ ପ୍ରେସମିଟ୍ କରି ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଛି ବିଜେଡି । ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି, ରାଜ୍ୟରେ ମହିଳାଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଥାସାଧ୍ୟ ଚେଷ୍ଟା କରିଆସିଛନ୍ତି । ରାଜ୍ୟରେ ୬ ଲକ୍ଷ ଏସଏସଜି ସଙ୍ଗଠନ କରି ପାଖାପାଖି ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ ତଥା ଆତ୍ମନିର୍ଭରଶରଳ କରିପାରିଛନ୍ତି ।

ରାଜ୍ୟର ମହିଳାଙ୍କୁ କେବଳ ରାଜ୍ୟ ଭିତରେ ସୀମିତ ନରଖି ବରଂ ସେମାନଙ୍କୁ ଦେଶ ଓ ଦେଶ ବାହାରକୁ ଯାଇ ବିଜନେସ୍ ଟ୍ରିକ୍ସ ଶିଖି ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଅଗ୍ରଣୀ କରିବାକୁ ଚେଷ୍ଟା କରିଛନ୍ତି । ସେଥିପାଇଁ ଏସଏସଜି ଗ୍ରୁପର କିଛି ମହିଳାଙ୍କୁ ପ୍ରତିନିଧି ଭାବେ ଚୟନ କରି ସେମାନଙ୍କୁ ଦୁବାଇରେ ଆୟୋଜିତ ସ୍ୱତନ୍ତ୍ର ବ୍ୟବସାୟିକ ବୈଠକକୁ ପଠାଇଥିଲେ । କିନ୍ତୁ ଏସବୁକୁ ସହ୍ୟ କରିପାରୁନାହାଁନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଭଳି ଧର୍ମେନ୍ଦ୍ରଙ୍କ ନାଁ ନେଇ ତାଙ୍କୁ ସିଧାସଳଖ ଟାର୍ଗେଟ କରିଛି ବିଜେଡି।

ମୁଖପାତ୍ର ସୁଲତା ଦେଓ ଆହୁରି ମଧ୍ୟ କହିଛନ୍ତି ଯେ, ‘ ଏସଏସଜି ଗ୍ରୁପର ପ୍ରତିନିଧିଙ୍କୁ ପୁଣିଥରେ ୨୦୨୪ ଏପ୍ରିଲରେ ଦେଶ ବାହାରକୁ ପ୍ରଶିକ୍ଷଣ ପାଇଁ ପଠାଇବାର କାର୍ଯ୍ୟକ୍ରମ ଥିଲେ ବି ଏନେଇ ଧର୍ମେନ୍ଦ୍ର ନିର୍ବାଚନ କମିଶନରେ ଏକ ବିରୋଧୀ ପିଟିସନ୍ ଦାଖଲ କଲେ । ମହିଳା ପ୍ରତିନିଧି ଦଳଙ୍କୁ ଇସିଙ୍କ ଗାଇଡଲାଇନ୍ ହିସାବରେ ପଠାଯିବାର ସମସ୍ତ କାର୍ଯ୍ୟ ହୋଇଥିଲେ ବି ଏହାକୁ ନେଇ ମାର୍ଚ୍ଚ ୨୭ରେ ଏକ ଷଡଯନ୍ତ୍ର ଭିତ୍ତିକ ପିଟିସନ୍ ଦାଖଲ କରିଛନ୍ତି ଧର୍ମେନ୍ଦ୍ର । ତେଣୁ ମହିଳା ପ୍ରତିନିଧିଙ୍କ ବିଦେଶ ଗସ୍ତ ସ୍ଥଗିତ ରହିଲା । ହେଲେ ଏଭଳି କରି ସେ ରାଜ୍ୟର ମହିଳାଙ୍କ ବିକାଶକୁ ଶେଷ କରିବାକୁ ଚାହୁଁଛନ୍ତି । ସେ ଜାଣିବା ଦରକାର, ସେ ଯେଉଁ ମହିଳାଙ୍କ ବିରୋଧୀ ସେଥିରେ ତାଙ୍କ ନିର୍ବାଚନୀ କ୍ଷେତ୍ର ସମ୍ବଲପୁରର ମହିଳାମାନେ ମଧ୍ୟ ଅଛନ୍ତି । ତେଣୁ ତାଙ୍କର ଏଭଳି କଦର୍ଯ୍ୟ କାମର ଜବାବ୍ ମହିଳାମାନେ ନିର୍ବାଚନରେ ନିଶ୍ଚୟ ଦେବେ ।

ବିଜେଡି ମୁଖପାତ୍ର କହିଛନ୍ତି, ଧର୍ମେନ୍ଦ୍ର ଏବେଠୁ ମହିଳାଙ୍କ ବିକାଶକୁ ବିରୋଧ କଲେଣି । ଆଗକୁ ସେ ରାଜ୍ୟରୁ ମିଶନ ଶକ୍ତିକୁ ହିଁ ଉଠାଇଦେବେ । ସେ ମହିଳାଙ୍କୁ ପୁଣି ଘର ଭିତରେ ବନ୍ଦୀ କରି ରଖିବାକୁ ବାଟ ଖୋଲୁଛନ୍ତି । ଯଦି ଧର୍ମେନ୍ଦ୍ର ପ୍ରଧାନ ଏମପି ହୁଅନ୍ତି ସେ ଆଉ ମଣିଷ ମାନିବେନି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ।

Leave A Reply

Your email address will not be published.