ଫେରାର ଘୋଷିତ ହେଲେ ବଲିଉଡ ଅଭିନେତ୍ରୀ ଜୟାପ୍ରଦା

ବଲିଉଡ ଅଭିନେତ୍ରୀ ଜୟାପ୍ରଦାଙ୍କୁ ଏକ କୋର୍ଟ ଫେରାର ଘୋଷିତ କରିଛନ୍ତି । ତାଙ୍କୁ ଖୋଜି ଆଣି କୋର୍ଟରେ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଅବମାନନା ଜୟାଙ୍କ ପାଇଁ ମହଙ୍ଗା ପଡିଛି । ଆସନ୍ତୁ ଜାଣିବା କ’ଣ ପାଇଁ ଜୟାପ୍ରଦାଙ୍କୁ ଫେରାର ଘୋଷିତ କଲେ କୋର୍ଟ । ୨୦୧୯ ଲୋକସଭା ସାଧାରଣ ନିର୍ବାଚନ ବେଳେ ବିଜେପି ପ୍ରାର୍ଥୀ ଥିବା ଜୟାପ୍ରଦାଙ୍କ ଉପରେ ନିର୍ବାଚନ ଆଚରଣ ବିଧି ଉଲଂଘନ ନେଇ ଏକ ମାମଲା ରାମପୁରରେ ଦାୟର ହୋଇଥିଲା ।

ଏହାର ଶୁଣାଣି ରାମପୁରର ଏମପି-ଏମଏଲଏ କୋର୍ଟରେ ଚାଲୁରହିଛି । ତେବେ ଜୟାପ୍ରଦା ଏହାର ଶୁଣାଣି ବେଳେ କୋର୍ଟରେ ହାଜର ହୋଇନଥିଲେ । କୋର୍ଟ ୧୨ରୁ ଉର୍ଦ୍ଧ୍ୱ ଥର ତାଙ୍କୁ ସମନ ଜାରି କରିଥିଲେ ମଧ୍ୟ ସେ କୋର୍ଟରେ ହାଜର ହୋଇନଥିଲେ । ଫଳରେ ଜୟାପ୍ରଦାଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି ହୋଇଥିଲା । ଜୟାପ୍ରଦା ତଥାପି କୋର୍ଟରେ ହାଜର ହୋଇନଥିଲେ ।

ବାରମ୍ବାର ଓ୍ଵାରେଣ୍ଟ ପରେ ଜୟାପ୍ରଦା ହାଜିର ନହେବାରୁ ତାଙ୍କ ବିରୋଧରେ ୭ ଥର ଜାମିନ ବିହୀନ ପରଓ୍ଵାନା (ନନ୍‌ ବେଲେବଲ ଓ୍ଵାରେଣ୍ଟ )ଜାରି ହୋଇଥିଲା । ହେଲେ ତଥାପି ସେ କୋର୍ଟରେ ହାଜର ହୋଇନଥିଲେ । ଶେଷରେ କୋର୍ଟ କଡ଼ା କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଜୟାଙ୍କୁ ଫେରାର ଘୋଷିତ କରିବା ସହ ତାଙ୍କ ବିରୋଧରେ ୮୨ ସିଆରପିସି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଫଳରେ ଏକ ପୋଲିସ ଟିମ ତାଙ୍କୁ ଖୋଜି ଆଣି ଆସନ୍ତା ମାର୍ଚ୍ଚ ୬ ତାରିଖରେ କୋର୍ଟରେ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.