ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଭବନରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି । ଏହା ବ୍ୟତୀତ ସୁଲଭ ଇଣ୍ଟରନ୍ୟାସନାଲର ପ୍ରତିଷ୍ଠାତା ବିନ୍ଦେଶ୍ବର ପାଠକଙ୍କୁ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି ।

ଅଭିନେତା ମିଥୁନ ଚକ୍ରବର୍ତ୍ତୀ, ପୂର୍ବତନ ରାଜ୍ୟପାଳ ରାମ ନାଇକ ଏବଂ ଗାୟିକା ଉଷା ଉଥୁପଙ୍କୁ ରାଷ୍ଟ୍ରପତ ଦ୍ରୌପଦୀ ମୁର୍ମୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି । ସେହିଭଳି ଚିକିତ୍ସା କ୍ଷେତ୍ରରେ ଅତୁଳନୀୟ ସେବା ପାଇଁ ମନୋହର କୃଷ୍ଣ ଡୋଲେଙ୍କ ପଦ୍ମଶ୍ରୀ ପୁରସ୍କାର ମିଳିଛି । ଟେନିସ୍ ତାରକା ରୋହନ ବୋପାନ୍ନା ଏବଂ ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ରାମ ଚେତ ଚୌଧୁାରୀଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିବା ଜଣାପଡ଼ିଛି ।

ଚଳିତ ବର୍ଷ ୧୩୨ ବ୍ୟକ୍ତବିଶେଷଙ୍କୁ ପଦ୍ମ ଆଓ୍ବାର୍ଡ ଦିଆଯାଇଛି । ଏଥର କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ବୈଜୟନ୍ତୀମାଳା ବାଲି, ଶ୍ରୀ କୋନିଦେଲା ଚିରଞ୍ଜିବୀ ଏବଂ ପଦ୍ମ ଶୁଭ୍ରମଣ୍ୟମଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ବୈଜୟନ୍ତୀମାଳା ନୃତ୍ୟ ଏବଂ ଅଭିନୟ ଲାଗି ଏହି ସମ୍ମାନ ପାଇଥିବା ବେଳେ ସିନେମା ପାଇଁ ନିଜର ଅବଦାନ ଯୋଗୁଁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଚିରଞ୍ଜିବୀ । ସେହିଭଳି ସର୍ବସାଧାରଣଙ୍କ ଲାଗି ପ୍ରଭାବଶାଳୀ କାର୍ଯ୍ୟ ଯୋଗୁଁ ଏମ ଭେଙ୍କୟା ନାଇଡୁଙ୍କୁ ଦେଶର ଦ୍ବିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ମିଳିଛି। ଉଲ୍ଲେଖନୀୟ ସମାଜିକ କାର୍ଯ୍ୟ ଲାଗି ବିନ୍ଦେଶ୍ବର ପାଠକଙ୍କୁ ମରଣୋତ୍ତର ଭାବେ ମିଳିଛି ପଦ୍ମ ବିଭୂଷଣ ।

ସେପଟେ ଏମ ଫାତିମା ବିବି, ହରମୁସଜୀ ଏନ କାମା, ମିଥୁନ ଚକ୍ରବର୍ତ୍ତୀ, ସୀତାରମା ଜିନ୍ଦଲ, ୟଙ୍ଗ ଲିୟୁ, ଅଶ୍ବିନ ବାଲଚାନ୍ଦ ମେହେଟା, ସ୍ବର୍ଗତଃ ସତ୍ୟବ୍ରତ ମୁଖାର୍ଜୀ, ରାମ ନାଇକ, ତେଜସ ମଧୂସୁଦନ ପଟେଲ, ଓଲାଞ୍ଚେରି ରାମଗୋପାଳ, ଦତ୍ତାତ୍ରେୟ ମାୟାଲୁ, ସ୍ବର୍ଗତଃ ତୋଗଦାନ ରିନପୋଚେ, ପ୍ୟାରେଲାଲ ଶର୍ମା, ଚନ୍ଦ୍ରେଶ୍ବର ଠାକୁର, ଉଷା ଉଥୁପ, ସ୍ବର୍ଗତଃ ବିଜୟକାନ୍ତ ଏବଂ କୁନ୍ଦନ ବ୍ୟାସଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ତେବେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ । ଏହି ବ୍ୟକ୍ତିବିଶେଷ ସମାଜର ସବୁ ବର୍ଗର ଲୋକମାନଙ୍କୁ ଅନୁପ୍ରାଣିତ କରିଥାନ୍ତି ।

Leave A Reply

Your email address will not be published.