ବାହାନଗା ଟ୍ରେନ୍‌ ଦୁର୍ଘଟଣା ପୀଡ଼ିତଙ୍କ ପରିବାରକୁ ସହାୟତା ଯୋଗାଇବ ରିଲାଏନ୍ସ ଫାଉଣ୍ଡେସନ

ବାଲେଶ୍ୱର ବାହାନଗାରେ ଶୁକ୍ରବାର ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ୨୭୫ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ହଜାରରୁ ଅଧିକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଭାରତ ଇତିହାସରେ ଏହି ଦୁର୍ଘଟଣା ଏକ ବଡ଼ ଦୁର୍ଘଟଣା। ଏହି ଭୟଙ୍କର ଦୁର୍ଘଟଣା ବହୁ ଛୁଆଙ୍କ ମୁହଁରୁ ବାପା ଡାକ ଛଡାଇ ନେଇଥିବା ବେଳେ ବହୁ ବୁଢା ବାପାଙ୍କ ସାହାରା ତାଙ୍କ ପୁଅକୁ ଛଡାଇ ନେଇଛି।

ଆଉ କାହାକୁ ସାରା ଜୀବନ ପାଇଁ ପଙ୍ଗୁ କରିଦେଇଛି କରମଣ୍ଡଳର ଏହି କାଳ ଦୁର୍ଘଟଣା।

ବାଲେଶ୍ୱର ବାହାନଗାର ଏହି ଭୟଙ୍କର ଦୁର୍ଘଟଣା ପରେ ଆଜି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସହାୟତା ଘୋଷଣା କରାଯାଇଛି। ରିଲାଏନ୍ସ ଫାଉଣ୍ଡେସନ ମୁଖ୍ୟ ନୀତା ଅମ୍ବାନୀ ଏହି ଦୁର୍ଘଟଣାରେ ମୃତାହତଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତ ମାନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ଏଥି ସହିତ ରିଲାଏନ୍ସ ଫାଉଣ୍ଡେସନ ମୁଖ୍ୟ ନୀତା ଅମ୍ବାନୀ କହିଛନ୍ତି ଦୁର୍ଦିନରେ ରିଲାଏନ୍ସ ଫାଉଣ୍ଡେସନ ମୃତକଙ୍କ ପରିବାର ସହ ଅଛି। ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବ ଲୋକ ଏବଂ ଗୁରୁତର ଆହତଙ୍କ ମାନଙ୍କୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସହାୟତା ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ୧୦ ପ୍ରକାର ସହାୟତା ଘୋଷଣା କରାଯାଇଛି।

-ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମିଳିବ ମାଗଣା ମୋବାଇଲ୍‌ ସଂଯୋଗ। ଜିଓ ତରଫରୁ ଗୋଟିଏ ସିମ୍‌କୁ ମିଳିବ ବର୍ଷକର ମାଗଣା ରିଚାର୍ଜ।

-ରେଳ ଦୁର୍ଘଟଣା ପୀଡ଼ିତ ଗ୍ରାମୀଣ ପରିବାରକୁ ମିଳିବ ବିକଳ୍ପ ଜୀବିକା। ଗାଈ, ମଇଁଷି, ଛେଳି କୁକୁଡ଼ାଚାଷ ଭଳି ବିକଳ୍ପ ସୁଯୋଗ ଦିଆଯିବ।

-ରେଳ ଦୁର୍ଘଟଣାରେ ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇଥିଲେ ମିଳିବ ସହାୟତା। ଘରର ମହିଳା ସଦସ୍ୟଙ୍କୁ ମିଳିବ ମାଇକ୍ରୋ ଫାଇନାନ୍ସ ଓ ତାଲିମ ସୁବିଧା।

-ମୃତକଙ୍କ ପରିବାର ସଦସ୍ୟଙ୍କୁ ମିଳିବ ସ୍ବତନ୍ତ୍ର କୌଶଳ ତାଲିମ। ନୂଆ ରୋଜଗାର ସୁଯୋଗ ପାଇଁ ସହାୟକ ହେବ ତାଲିମ।

ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରର ଜଣକୁ ରିଲାଏନ୍ସ ଫାଉଣ୍ଡେସନ ଦେବ ଚାକିରି। ରିଲାଏନ୍ସ ରିଟେଲ ଓ ଜିଓ ମାଧ୍ୟମରେ ଦିଆଯିବ ଚାକିରି।

-ଦୁର୍ଘଟଣାରେ ଭିନ୍ନକ୍ଷମ ହୋଇଥିଲେ ହୁଇଲ୍‌ ଚେୟାର ଓ କୃତ୍ରିମ ଅଙ୍ଗ ଯୋଗାଇବ ସଂସ୍ଥା।

-ଦୁର୍ଘଟଣାରେ ଆହତଙ୍କୁ ସୁସ୍ଥ ହେବା ଲାଗି ମାଗଣାରେ ମିଳିବ ଔଷଧ।ଦୁର୍ଘଟଣାଜନିତ ହସ୍ପିଟାଲ ସୁବିଧା ମଧ୍ୟ ଯୋଗାଇବ ରିଲାଏନ୍ସ।

-ଦୁଃଖଦ ସମୟରେ ପରିବାରକୁ ଯୋଗାଯିବ କାଉନ୍‌ସେଲିଂ ସେବା।

-ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୬ ମାସ ଯାଏ ମିଳିବ ମାଗଣା ରାସନ। ରିଲାଏନ୍ସ ଷ୍ଟୋରରୁ ମିଳିବ ଅଟା, ଚିନି, ଡାଲି, ଚାଉଳ, ଲୁଣ ଓ ଖାଇବା ତେଲ ବି ମିଳିବ।

-ବାହାନଗା ରେଳ ଦୁର୍ଘଟଣା ରିଲିଫ କାର୍ଯ୍ୟରେ ନିୟୋଜିତ ଆମ୍ବୁଲାନ୍ସକୁ ମିଳିବ ମାଗଣା ତେଲ। ଜିଓ-ବ୍ରିଟିଶ ପେଟ୍ରୋଲିୟମ ନେଟୱର୍କରୁ ମିଳିବ ମାଗଣା ଇନ୍ଧନ।

Leave A Reply

Your email address will not be published.