ଘାଟିରେ ଆଉ ୨ ଆତଙ୍କୀ ସଫା, ୯ ଏନକାଉଣ୍ଟରରେ ୧୩ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପାମ୍ପୋର ଏନକାଉଣ୍ଟରରେ ଦୁଇ ଆତଙ୍କୀ ସଫା । ସେନାର ୯ ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ସଫା ହେଲେଣି ୧୩ ଆତଙ୍କୀ । 

 ଜମ୍ମୁ କାଶ୍ମୀରର ପାମ୍ପୋର ଏନକାଉଣ୍ଟରରେ ପୁଣି ଭାରତୀୟ ସୁରକ୍ଷା ବଳକୁ ସଫଳତା । ଆଜି (ଶନିବାର) ଜାରି ରହିଥିବା ଏନକାଉଣ୍ଟରରେ ଲସ୍କର-ଇ-ତୋଏବା (LET)ର 2 ଆତଙ୍କବାଦୀ ନିପାତ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏହି ସ୍ପେଶାଲ ଏପରେସନରେ ୯ ଏନକାଉଣ୍ଟରରେ ୧୩ ଆତଙ୍କୀ ସଫା ହୋଇଥିବା କାଶ୍ମୀର ଆଜିପି ବିଜୟ କୁମାର ସୂଚନା ଦେଇଛନ୍ତି ।

ଆଜି ନିହତ ଦୁଇ ଆତଙ୍କୀ ହେଲେ ଉମର ମୁସ୍ତାକ୍ ଖଣ୍ଡେ ଏବଂ ସହିଦ ବାସିର । ଉଭୟ ଆତଙ୍କୀ ସଂଗଠନ LET ର ସକ୍ରିୟ ସଦସ୍ୟ ହୋଇଥିବାବେଳେ ଘାଟିରେ ସାଧାରଣ ନାଗରିକଙ୍କ ହତ୍ୟାରେ ମଧ୍ୟ ପ୍ରତ୍ୟେକ୍ଷ ସାମିଲ ଥିଲେ । ଶ୍ରୀନଗର ସହରରେ ଗତ ସପ୍ତାହ ମଧ୍ୟରେ ଆତଙ୍କ ଖେଳାଇଥିବା ୫ ଆତଙ୍କୀଙ୍କ ମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କୁ ନିପାତ କରିବାରେ ସେନା ସଫଳ ହୋଇଥିବା କାଶ୍ମୀର ପୋଲିସ କହିଛି ।

ଗତ ସପ୍ତାହରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପରେ ସ୍ବତନ୍ତ୍ର ଅପରେସନ ଆରମ୍ଭ କରିଥିଲା ସେନା । ଏହି ଅପରେସନରେ ଶ୍ରୀନଗର ଓ ଆଖପାଖ ଅଞ୍ଚଳରେ ମୋଟ ୯ ଥର ଏନକାଉଣ୍ଟର ହୋଇଥିବାବେଳେ ଏଥିରେ ବର୍ତ୍ତମାନ ସୁଦ୍ଧା ୧୩ ଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା ।

ଗତ ସପ୍ତାହରେ କାଶ୍ମୀରରେ ଆତଙ୍କୀଙ୍କ ନରସଂହାର ଦେଖିବାକୁ ମିଳିଥିଲା । ସାଧାରଣ ଲୋକ ଆତଙ୍କୀଙ୍କ ଆକ୍ରମଣର ଶିକାର ହୋଇଥିଲେ । ଏଥିରେ କାଶ୍ମୀର ପଣ୍ଡିତଙ୍କୁ ମିଶାଇ ମୋଟ ୭ ସାଧାରଣ ଜନତା ଆତଙ୍କୀଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିଲେ । ଏନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବା ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ଚାପ ସୃଷ୍ଟି ହୋଇଥିଲା ।

ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ତତ୍ପରତା ଦେଖାଇବା ସହ ସୁରକ୍ଷାବଳ ମଧ୍ୟ ଆକ୍ସନ ମୋଡକୁ ଆସି ସ୍ପେଶାଲ ଅପରେସନ ଆରମ୍ଭ କରିଥିଲା । ଏହି କାର୍ଯ୍ୟାନୁଷ୍ଠାନରେ ବର୍ତ୍ତମାନ ଘାଟିର ବିଭିନ୍ନ ସ୍ଥାନରେ ୯ ଏନକାଉଣ୍ଟର ହୋଇଥିବାବେଳେ ୧୩ ଆତଙ୍କୀ ନିପାତ ହୋଇ ସାରିଲେଣି । ଏବେ ମଧ୍ୟ ଅପରେସନ ଜାରି ରହିଛି ।

Leave A Reply

Your email address will not be published.