ବିଦ୍ରୋହୀ ନେତାଙ୍କୁ ସୋନିଆଙ୍କ ଜବାବ: ମୁଁ ହିଁ କଂଗ୍ରେସର ‘ବସ୍’, ଦଳୀୟ କନ୍ଦଳ ମଧ୍ୟରେ ସିଡବ୍ଲ୍ୟୁସି ବୈଠକ

ନୂଆଦିଲ୍ଲୀ : କଂଗ୍ରେସରେ ଜାରି ଦଳୀୟ କନ୍ଦଳ ମଧ୍ୟରେ ଶନିବାର ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ(ସିଡବ୍ଲ୍ୟୁସି) ବୈଠକ ବସିଛି । ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଦାବି କରୁଥିବା ନେତାଙ୍କୁ ସୋନିଆ ଗାନ୍ଧୀ ପରୋକ୍ଷରେ ଏହା କହି ଜବାବ ଦେଇଛନ୍ତି ଯେ, ସେ ହିଁ କଂଗ୍ରେସର ସ୍ଥାୟୀ ଅଧ୍ୟକ୍ଷ । କଂଗ୍ରେସ ଅଧ୍ୟକ୍ଷ ଏବଂ ସାଂଗଠନିକ ନିର୍ବାଚନକୁ ଦୃଷ୍ଟିରେ ରଖି ବସିଥିବା ଏହି ବୈଠକରେ ସୋନିଆ ଗାନ୍ଧୀ କହିଛନ୍ତି, କଂଗ୍ରେସର ପ୍ରତିଟି ସଦସ୍ୟ ଚାହାନ୍ତି ଯେ, ପାର୍ଟିର ପୁନରୁଦ୍ଧାର ହେଉ । ଏଥିପାଇଁ ଏକତା ଏବଂ ପାର୍ଟିର ହିତକୁ ସର୍ବୋପରି ରଖାଯିବାର ଆବଶ୍ୟକତା ରହିଛି । ଏଥିସହ ସୋନିଆ ପାର୍ଟି ନେତାଙ୍କୁ ଆତ୍ମ ନିୟନ୍ତ୍ରଣ ଏବଂ ଅନୁଶାସନ ପ୍ରତି ସମ୍ମାନ ଦେବାକୁ କହିଛନ୍ତି ।

ବିଦ୍ରୋହୀ ନେତାଙ୍କ ଗୋଷ୍ଠୀ ଜି-୨୩ ଉପରେ ପରୋକ୍ଷରେ ଟାର୍ଗେଟ୍ କରି ସୋନିଆ ଗାନ୍ଧୀ କହିଛନ୍ତି, ମୁଁ ଜଣେ ପୂର୍ଣ୍ଣକାଳୀନ ଏବଂ ବ୍ୟବହାରିକ କଂଗ୍ରେସ ସଭାପତି ଅଟେ । ମୁଁ ସର୍ବଦା ସ୍ପଷ୍ଟ ଆଭିମୁଖ୍ୟକୁ ପ୍ରଶଂସା କରି ଆସିଛି। ଗଣମାଧ୍ୟମ ମାଧ୍ୟମରେ ମୋ ସହ କଥା ହେବାର କୌଣସି ଆବଶ୍ୟକତା ନାହିଁ । ସମସ୍ତେ ଆସନ୍ତୁ ମିଶିକି ଆଲୋଚନା କରିବା ବୋଲି ସୋନିଆ ପରୋକ୍ଷରେ ବିଦ୍ରୋହୀ ଗୋଷ୍ଠୀଙ୍କୁ କହିଛନ୍ତି । ସାଂଗଠନିକ ନିର୍ବାଚନ ଏବଂ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ସୋନିଆ ଗାନ୍ଧୀ କହିଛନ୍ତି, ଆମେ ଜୁନ ୩୦ ସୁଦ୍ଧା ନିୟମିତ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ରୋଡମ୍ୟାପକୁ ଅନ୍ତିମ ରୂପ ଦେଇଥିଲି । ମାତ୍ର କରୋନାର ଦ୍ୱିତୀୟ ଲହର କାରଣରୁ ସମୟସୀମା ଅନିର୍ଦ୍ଦିଷ୍ଟକାଳ ପାଇଁ ବଢିଗଲା ।

ବୈଠକରେ ଲକ୍ଷ୍ମୀପୁର ଖେରୀ କାଣ୍ଡ ଉପରେ ସୋନିଆ କହିଛନ୍ତି, ଏହା ଚକିତ କରିବା ଭଳି ଘଟଣା । ଏହି ଘଟଣା ବିଜେପିର ମାନସିକତାକୁ ଦର୍ଶାଉଛି ଯେ, ସେ କେଉଁ ନଜରରେ କୃଷକଙ୍କ ଆନ୍ଦୋଳନକୁ ଦେଖୁଛି । ଏହା ଦର୍ଶାଉଛି ଯେ, ବିଜେପି କୃଷକ ପ୍ରସଙ୍ଗ ପ୍ରତି କେତେ ସମ୍ବେଦନଶୀଳ ଏବଂ ସେମାନଙ୍କର ବିକାଶକୁ ନେଇ କେତେ ସଚେତନ ।

Leave A Reply

Your email address will not be published.