ଚଳନ୍ତା ଟ୍ରକ୍ ପଛରେ ପିଟିଲା ବାଇକ୍, ୩ ମୃତ

ଯାଜପୁର କଳିଙ୍ଗନଗର ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚଳନ୍ତା ଟ୍ରକ୍ ପଛରେ ପିଟି ହୋଇ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ମେଡ଼ିକାଲରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ୩ ଜଣ ସ୍ଥାନୀୟ ସିଆରିଆ ଜିନ୍ଦଲ ବିସ୍ଥାପିତ କଲୋନୀର ବାସିନ୍ଦା ବୋଲି ଜଣାପଡିଛି। ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ସୂଚନା ମୁତାବକ ଆଜି ଏକ ବାଇକ୍ ଯୋଗେ ୩ ଜଣ ଯୁବକ ଡ଼ୁବୁରୀ ପଟୁ ଦାନଗଦି ଆଡ଼କୁ ଯାଉଥିବା ସମୟରେ ଜିନ୍ଦଲ ଗେଟ୍ ନିକଟରେ ଭାରସାମ୍ୟ ହରାଇ ଏକ ଚଳନ୍ତା ଟ୍ରକ୍ ସହ ପିଟି ହୋଇଯାଇଥିଲେ।

ଫଳରେ ଟ୍ରକ ବାଇକ୍ ଆରୋହୀଙ୍କ ଉପରେ ମାଡି ଯାଇଥିଲା। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇ ଦାନଗଦି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଦାନଗଦି ମେଡ଼ିକାଲରେ ପହଞ୍ଚି ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Leave A Reply

Your email address will not be published.