ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: (ଏସ. ନ୍ୟୁଜ୍‌): ଭାରତବର୍ଷ ମୁକ୍ତି ଆନ୍ଦୋଳନର ଅନନ୍ୟ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୨୪ ତମ ପବିତ୍ର ଶ୍ରାଦ୍ଧ ଦିବସ ଆଜି ରାଜ୍ୟବ୍ୟାପୀ କୋଭିଡ୍ କଟକଣାରେ ପାଳିତ ହୋଇଯାଇଛି । ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ଟୁକୁନି ସାହୁ, ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ, ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ପ୍ରମୁଖ ବିଜୁ ପଟ୍ଟନାୟକଙ୍କର ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ପ୍ରବାଦ ପୁରୁଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ କହିଛନ୍ତି, ବିଜୁ ବାବୁ ଥିଲେ ଜଣେ ଉତ୍ତୁଙ୍ଗ ନେତୃତ୍ୱ । ଦିନେ ସାରା ବିଶ୍ୱକୁ ତାଙ୍କ ନେତୃତ୍ୱ ପ୍ରସାରିତ ଥିଲା । ତାଙ୍କ ଜୀବଦଶାରେ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବାର ସଂକଳ୍ପ, ଆଜି ତାଙ୍କୁ ଜଣେ କାଳଜୟୀ ନେତା ଭାବେ ମର୍ଯ୍ୟାଦା ଦେଇଛି । ସମଗ୍ର ଓଡ଼ିଆ ଜାତିର ପ୍ରାତଃସ୍ମରଣୀୟ ବିଜୁ ବାବୁ ଜୀବନବ୍ୟାପୀ ଓଡ଼ିଆ ଜାତିର ସମୃଦ୍ଧି ଓ ବିକାଶ ଲାଗି କେବଳ ଜଣେ ସମର୍ପିତ ବ୍ୟକ୍ତିତ୍ୱ ନଥିଲେ ବରଂ ସ୍ୱାଧୀନତା ପରବର୍ତ୍ତୀ ନବ ଓଡ଼ିଶା ଗଠନରେ ତାଙ୍କର ଅମ୍ଲାନ ଭୂମିକାକୁ ଓଡ଼ିଆ ଜାତି ସବୁଦିନ ସ୍ମରଣ କରିବ ।

Leave A Reply

Your email address will not be published.