ବ୍ରହ୍ମୋସ୍ ଏୟାର୍ ଲଞ୍ଚ୍ ମିସାଇଲ୍ ସମ୍ପ୍ରସାରିତ ରେଞ୍ଜ୍ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ଭାରତ ଗୁରୁବାର ସୁଖୋଇ ୩୦ ଏମ୍‌କେଆଇ ଯୁଦ୍ଧବିମାନରୁ ବ୍ରହ୍ମୋସ ଏୟାର୍ ଲଞ୍ଚ୍ ମିସାଇଲ୍‌ର ସମ୍ପ୍ରସାରିତ ରେଞ୍ଜ୍ ଭର୍ସନ୍ ସଫଳତାପୂର୍ବକ ପରୀକ୍ଷଣ କରିଛି । ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇ ପକ୍ଷରୁ କୁହାଯାଇଛି, ବିମାନରୁ ପ୍ରକ୍ଷେପଣ ଯୋଜନା ଅନୁସାରେ କରାଯାଇଥିଲା ଏବଂ ମିସାଇଲ୍ ବଙ୍ଗୋପସାଗରରେ ଥିବା ଲକ୍ଷ୍ୟକୁ ସିଧା ଭେଦ କରିଥିଲା । ସୁଖୋଇ ୩୦ ଏମ୍‌କେଆଇରୁ ବ୍ରହ୍ମୋସ ମିସାଇଲ୍ ସମ୍ପ୍ରସାରିତ ରେଞ୍ଜ୍‌ର ଏହା ପ୍ରଥମ ପରୀକ୍ଷଣ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମିସାଇଲ୍‌ର ଏହି ସମ୍ପ୍ରସାରିତ ଭର୍ସନ୍‌ର ରେଞ୍ଜ୍ ପ୍ରାୟ ୩୫୦ କିଲୋମିଟର । ଏହାର ସଫଳ ପରୀକ୍ଷଣ ପରେ ଭାରତୀୟ ବାୟୁସେନାର ରଣନୀତିକ କ୍ଷମତାରେ ବୃଦ୍ଧି ଘଟିଛି ଏବଂ ବାୟୁସେନା ବିମାନରୁ ଭୂପୃଷ୍ଠ ଏବଂ ସମୁଦ୍ର ମଧ୍ୟରେ ବହୁ ଦୂରରେ ଥିବା ସଠିକ୍ ଲକ୍ଷ୍ୟଭେଦ କ୍ଷମତା ହାସଲ କରିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ଏପ୍ରିଲ୍‌ରେ ମଧ୍ୟ ଭାରତୀୟ ବାୟୁସେନା ସୁଖୋଇ ଯୁଦ୍ଧବିମାନରୁ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିସାଇଲ୍‌ର ସଫଳ ପରୀକ୍ଷଣ କରିଥିଲା ।

Leave A Reply

Your email address will not be published.