୫୭ ରାଜ୍ୟସଭା ଆସନ ପାଇଁ ଜୁନ ୧୦ରେ ନିର୍ବାଚନ

ନୂଆଦିଲ୍ଲୀ : ୧୫ଟି ରାଜ୍ୟରେ ଖାଲିପଡିଥିବା ୫୭ଟି ରାଜ୍ୟସଭା ଆସନ ପାଇଁ ଜୁନ ୧୦ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଗୁରୁବାର ନିର୍ବାଚନ କମିଶନ (ଇସିଆଇ)ଙ୍କ ସୂତ୍ରରୁ କୁହାଯାଇଛି । ଏଥିମଧ୍ୟରୁ ଉତ୍ତର ପ୍ରଦେଶରେ ସର୍ବାଧିକ ୧୧ଟି ଆସନ ଥିବାବେଳେ ମହାରାଷ୍ଟ୍ର ଓ ତାମିଲନାଡୁର ୬ଟି ଲେଖାଏଁ ଆସନ ଅନ୍ତର୍ଭୁକ୍ତ । ଏହାବ୍ୟତୀତ ବିହାରରେ ୫ଟି, କର୍ଣ୍ଣାଟକ, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶରେ ୪ଟି ଲେଖାଏଁ, ଓଡ଼ିଶା ଓ ମଧ୍ୟପ୍ରଦେଶରେ ୩ଟି ଲେଖାଏଁ, ପଞ୍ଜାବ, ଝାଡ଼ଖଣ୍ଡ, ହରିୟାଣା, ଛତିଶଗଡ ଓ ତେଲେଙ୍ଗାନାରେ ୨ଟି ଲେଖାଏଁ ଏବଂ ଉତ୍ତରାଖଣ୍ଡର ଗୋଟିଏ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ଚଳିତମାସ ୨୪ରେ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ମେ’ ୩୧କୁ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ଜୁନ୍ ୧ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଜୁନ ୩ ବୋଲି ଇସିଆଇ ପକ୍ଷରୁ କୁହାଯାଇଛି । ଜୁନ ୧୦ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯାଇ ଜୁନ ୫ରେ ଫଳାଫଳ ଘୋଷଣା କରାଯିବ ।  ୫୭ ଆସନ ମଧ୍ୟରୁ ବିଜେପିର ସର୍ବାଧିକ ୨୩ ଓ କଂଗ୍ରେସର ୮ ଜଣ ରାଜ୍ୟସଭା ସାଂସଦ ରହିଛନ୍ତି । ଜୁନ୍ ୧୦ ନିର୍ବାଚନ ପରେ ଡିଏମ୍‌କେ ଓ ଆପ୍ ରାଜ୍ୟସଭା ସାଂସଦଙ୍କ ଆସନ ସଂଖ୍ୟା ବୃଦ୍ଧି ପାଇବ ବୋଲି କୁହାଯାଇଛି । କାରଣ ତାମିଲନାଡୁରେ ଡିଏମ୍‌କେ ଓ ପଞ୍ଜାବରେ ଆପ୍ ବର୍ତ୍ତମାନ କ୍ଷମତାସୀନ ରହିଛି । ଆଗାମୀ ଦିନରେ ରାଜ୍ୟସଭା ସାଂସଦଭାବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ ଓ ସଂଖ୍ୟାଲଘୁ ବିଭାଗ ମନ୍ତ୍ରୀ ମୁକ୍ତାର ଆବାସ ନକ୍‌ଭୀଙ୍କ କାର୍ଯ୍ୟକାଳ ପୂରିଯାଉଥିବାରୁ ସେମାନେ ପୁନଃନିର୍ବାଚିତ ହେବା ଜରୁରୀ ହୋଇପଡିଛି ।

Leave A Reply

Your email address will not be published.