ଆପାର୍ଟମେଣ୍ଟ ଲୁଟ ଘଟଣାର ପର୍ଦ୍ଦାଫାସ : ଦୁଇ ଦୁର୍ଦ୍ଦାନ୍ତ ଲୁଟେରା ଗିରଫ

ଭୁବନେଶ୍ୱର, (ନିପ୍ର): ଧରାପଡିଲେ ଦୁଇ ଆପାର୍ଟମେଣକଟ ଲୁଟେରା । ନୟାପଲ୍ଲୀ ନିକଟସ୍ଥ ନିରୂପମା ଆପାର୍ଟମେଣ୍ଟ ଲୁଟ ଘଟଣାରେ ପୁଲିସ ଦୁଇ ଲୁଟେରାଙ୍କୁ ଧରିଥିବା ବେଳେ ସେମାନଙ୍କଠାରୁ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଛି । ଏହାଛଡ଼ା ଗୋଟିଏ ନମ୍ବର ବିହୀନ କାର, ମୋବାଇଲ ଫୋନକୁ ମଧ୍ୟ ଜବତ କରିଛି ନୂଆପଲ୍ଳୀ ଥାନା ପୁଲିସ । ଗିରଫ ମୋଷ୍ଟ ୱାଣ୍ଟେଡ ଅପରାଧୀମାନେ ହେଲେ ଗୁଜୁରାଟର ଦିନେଶ କୁମାର ଶାହା ଓ ହରିଆଣାର ପୱନ କୁମାର । ଏହି ଗ୍ୟାଙ୍ଗର ଅନ୍ୟ ୧୦ ରୁ ଅଧିକ ଅପରାଧୀ ଏବେ ବି ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ କମିଶନରେଟ ପୁଲିସ ଦୁଇ ଅପରାଧୀଙ୍କୁ ରିମାଣ୍ଡରେ ନେଇ ଜେରା କରିବ ଏବଂ ଦରକାର ପଡିଲେ ସେମାନଙ୍କୁ ରାଜ୍ୟ ବାହାରକୁ ନେଇ ଅନ୍ୟ ଅପରାଧୀଙ୍କୁ ଧରିବାକୁ ଉଦ୍ୟମ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି । ଧରାପଡିଥିବା ଏହି ଗ୍ୟାଙ୍ଗ ନାଁରେ ୭ ରୁ ଅଧିକ ରାଜ୍ୟରେ ୫୦ ରୁ ଅଧିକ ଅପରାଧୀକ ମାମଲା ଥିବା ଜଣାପଡିଛି । ଖାଲି ସେତିକି ନୁହେଁ, ଅପରାଧୀମାନେ ଲୁଟ୍‍ ଟଙ୍କାରେ ବିମାନ ଯାତ୍ରା କରିବା ସହ ନୂଆ ନୂଆ କାର୍‍ ଚଢ଼ୁଥିଲେ । ରାଜଧାନୀ ଆପାର୍ଟମେଣ୍ଟ ଗ୍ୟାଙ୍ଗରେ ୨୦ରୁ ଅଧିକ ବ୍ୟକ୍ତି ସାମିଲ୍‍ ଅଛନ୍ତି ।

କମିଶନରେଟ୍‍ ପୁଲିସ୍‍ର କହିବା ଅନୁସାରେ ଏମାନେ ୩ ରୁ ୪ ଗ୍ରୁପ୍‍ରେ ରହିଥାଆନ୍ତି । ଆଉ ସହର ସାରା ଘୂରି ବୁଲି ଥାଆନ୍ତି । ତା’ପରେ ଆପାର୍ଟମେଣ୍ଟକୁ ଟାର୍ଗେଟ କରନ୍ତି । ବିଶେଷ କରି ତାଲା ପଡ଼ିନଥିବା ଓ ଦୁର୍ବଳ ସିକ୍ୟୁରିଟି ବ୍ୟବସ୍ଥା ଥିବା ଆପାର୍ଟମେଣ୍ଟକୁ ବେଶୀ ନଜର ରଖୁଥିଲେ । ତା’ପରେ ପୂରା ଗ୍ରୁପ୍‍ ବସି ଲୁଟ୍‍ ପାଇଁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ । ଲୁଟ୍‍ ପୂର୍ବରୁ ଲୁଟେରାମାନେ ଗୋଟିଏ ନମ୍ବର ବିହୀନ ନୂଆ ଗାଡ଼ି କିଣୁଥିଲେ । ସେହି ଗାଡ଼ିରେ ସେମାନେ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ଆପାର୍ଟମେଣ୍ଟକୁ ଯାଇଥିଲେ । ଜଣେ ଗାଡ଼ି ଭିତରେ ରହୁଥିବା ବେଳେ ଅନ୍ୟ ଜଣେ ଆପାର୍ଟମେଣ୍ଟ ଗେଟ୍‍ ପାଖରେ ଛିଡ଼ା ହେଉଥିଲା । ଆଉ ଆଖ ପାଖ ଅଞ୍ଚଳକୁ ଲକ୍ଷ୍ୟ କରୁଥିଲା । ଅନ୍ୟମାନେ ସିକ୍ୟୁରିଟି ଗାର୍‍ଡ଼ର ଅନ୍ୟ ମନସ୍କତାର ସୁଯୋଗ ନେଇ ଆପାର୍ଟମେଣ୍ଟ ଭିତରେ ପଶୁଥିଲେ । ପ୍ରଥମେ ଯାହା ଘରକୁ ଯାଉଥିଲେ ୧୦ ରୁ ୧୫ ମିନିଟ୍‍ ଭିତରେ ପୂରା ଘରକୁ ସଫା କରୁଥିଲେ । ଗହଣାପତ୍ର ଓ ନଗଦ ଟଙ୍କା ଲୁଟ୍‍ କରି ଚମ୍ପଟ ମାରୁଥିଲେ । ଲୁଟ୍‍ କରିବା ପରେ ଗାଡ଼ିରେ ଅନ୍ୟ ରାଜ୍ୟକୁ ଚମ୍ପଟ ମାରୁଥିଲେ । ନୟାପଲ୍ଲୀ ନିରୂପମା ଆପାର୍ଟମେଣ୍ଟ ଲୁଟ୍‍ ମାମଲାରେ ପୁଲିସ୍‍ ଦୁଇ ଲୁଟେରାଙ୍କୁ ଧରିଥିବା ବେଳେ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଛି । ଏହାଛଡ଼ା ଗୋଟିଏ ନମ୍ବର ବିହୀନ କାର, ମୋବାଇଲ ଫୋନ ଜବତ କରିଛି ପୁଲିସ୍‍ । ଆପାର୍ଟମେଣ୍ଟ ଲୁଟେରାମାନେ ଓଡ଼ିଶା ବ୍ୟତୀତ ଗୁଜରାଟ, ମହାରାଷ୍ଟ୍ର, ପୁନେ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ହରିୟାଣାରେ ସକ୍ରିୟ ଅଛନ୍ତି ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୫ ମାସରେ ଚନ୍ଦକା ଥାନା ଅଞ୍ଚଳର ଏମ୍‍ଜେ ଉଡ୍‍ସ, ଇନ୍‍ଫୋସିଟି ଥାନା ଅଞ୍ଚଳର ରାଜବାଟିକା, ଭରତପୁର ଥାନାର ଶ୍ରୀକ୍ଷେତ୍ର ରେସିଡେନ୍ସି, ନୂଆପଲ୍ଳୀରେ ଥିବା ନିରୁପମା ଆପାର୍ଟମେଣ୍ଟ,ଧଉଳିରେ ଥିବା ଏକ ଆପାର୍ଟମେଣ୍ଟ, ଖଣ୍ଡଗିରି, ତମାଣ୍ଡୋ, ମଞ୍ଚେଶ୍ୱର ଥାନା ଅଞ୍ଚଳର ସ୍ପେସଟାଉନ୍‍ ଆପାର୍ଟମେଣ୍ଟରୁ ଲୁଟ ହୋଇଥିଲା । ଏହାକୁ ନେଇ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଥିଲା । ପୁଲିସ୍‍ ମଧ୍ୟ ଅଭିଯୁକ୍ତଙ୍କୁ ଧରିପାରିନଥିଲା । ଶେଷରେ ଆପାର୍ଟମେଣ୍ଟବାସୀ ଚୋରଙ୍କ ଫଟୋକୁ ସହର ସାରା ମାରିଥିଲେ । ଏପରି ଧରାଇଦେଲେ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ଏହା ପରେ କମିଶନରେଟ୍‍ ପୁଲିସ୍‍ ତତ୍ପର ହୋଇଥିଲା । ତଦନ୍ତକୁ ଗତିଶୀଳ କରିଥିଲା । ଯେଉଁଥିପାଇଁ ଦୁଇ ଜଣଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ୍‍ ।

Leave A Reply

Your email address will not be published.