ହୋଟେଲ ମାଲିକଙ୍କୁ ହତ୍ୟା ଘଟଣା, କେୟାରଟେକର ଗିରଫ

ଭୁବନେଶ୍ୱର, : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ହୋଟେଲ ବ୍ୟବସାୟୀ ବିଶ୍ୱଜିତ ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତ କେୟାରଟେକରକୁ କମିଶନରେଟ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ମୃତକ ବିଶ୍ୱଜିତ ନାୟକଙ୍କ କେୟାରଟେକର ତଥା ଝାରସୁଗୁଡାର ସୁଙ୍କି ରଣା । ପୁଲିସ ତା ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ଡିସିପିଙ୍କ ସୂଚନା ଅନୁଯାୟୀ, ଝାରସୁଗୁଡାର ସୁଙ୍କି ରଣା ୨୦୦୫ ମସିହାରେ ନିଜ ଯା’କୁ ହତ୍ୟା କରି ଜେଲ୍ ଯାଇଥିଲେ । ନିଜ ସ୍ୱାମୀ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ସେ ନିଜ ଯା’କୁ ହତ୍ୟା କରି ଦେଇଥିଲେ । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସେ ୧୨ ବର୍ଷ ଜେଲ୍‌ରେ ଥିଲେ । ଜେଲରୁ ମୁକୁଳିବା ପରେ ସେ ପୁରୀର ଏକ ଆଶ୍ରମରେ ରହୁଥିଲେ । ଉକ୍ତ ଆଶ୍ରମରେ ବିଶ୍ୱଜିତଙ୍କ ମା’ ବି ରହୁଥିଲେ । ବିଶ୍ୱଜିତ ସେଠାକୁ ଯିବା ଆସିବା କରୁଥିବା ବେଳେ ସୁଙ୍କିଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ଏହାପରେ ଧୀରେ ଧୀରେ ଉଭୟଙ୍କ ସମ୍ପର୍କ ଘନିଷ୍ଠ ହୋଇଥିଲା ।

ସୁଙ୍କି କ୍ରମଶଃ ବିଶ୍ୱଜିତଙ୍କ ଘରକୁ ଯିବା ସହ ସେଠାରେ ତାଙ୍କ କେୟାରଟେକର ହିସାବରେ ରହୁଥିଲେ । ମାତ୍ର ମଝିରେ ମଝିରେ ସୁଙ୍କି ଆଶ୍ରମ ଯିବାକୁ ଚାହୁଁଥିବା ବେଳେ ବିଶ୍ୱଜିତ ଏହାକୁ ବିରୋଧ କରୁଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେଉଥିଲା । ଗତ ୧୪ ତାରିଖ ଦ୍ୱିପ୍ରହରରେ ଉଭୟ ବାଲିଅନ୍ତାସ୍ଥିତ ଘରେ ଥିବା ବେଳେ ସେମାନଙ୍କ ଝଗଡା ଉଗ୍ର ରୂପ ଧାରଣ କରିଥିଲା । ଏଥିରେ ନିଜ ହିତାହିତ ଜ୍ଞାନ ହରାଇ ସୁଙ୍କି ଏକ କାଠ ଫାଳିଆରେ ବିଶ୍ୱଜିତ ମୁଣ୍ଡକୁ ବାରମ୍ବାର ପିଟିବାକୁ ଲାଗିଥିଲା । ବିଶ୍ୱଜିତ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବାରୁ ସେ ତଳେ ପଡି ଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୂ ଉଡି ଯାଇଥିଲା ।

ସନ୍ଧ୍ୟା ହୋଇଯିବା ପରେ ସୁଙ୍କି ସେଠାରୁ ଫେରାର ହୋଇ ପବ୍ଲିକ ଟ୍ରାନ୍ସପୋର୍ଟରେ ପୁରୀ ପଳାଇଥିଲା । କମିଶନରେଟ ପୁଲିସ୍ ଏହି ମାମଲାର ତଦନ୍ତ ଆରମ୍ଭ କରିବା ପରେ ପୁରୀରୁ ସୁଙ୍କିଙ୍କୁ ଗିରଫ କରିଛି । ହିତାହିତ ଜ୍ଞାନ ହରାଇ ବସି ସୁଙ୍କି ଏପରି ନିର୍ମମ କାଣ୍ଡ ଘଟାଇଥିବା ପୁଲିସ୍ ସମ୍ମୁଖରେ ସ୍ୱୀକାର କରିଛନ୍ତି ।

ପୁଲିସ୍ ତାଙ୍କୁ ସେଠାରୁ ଗିରଫ କରିଥିବା ବେଳେ ହତ୍ୟାକାଣ୍ଡ ବେଳେ ସେ ପିନ୍ଧିଥିବା ବସ୍ତ୍ର ଓ ତାଙ୍କ ଫୋନ୍ ଜବତ କରିଛି । ଏଥିସହ ପୁଲିସ୍ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆକୁ ବି ଜବତ କରି ଫରେନସିକ ଟେଷ୍ଟ ପାଇଁ ପଠାଇଛି । ଆବଶ୍ୟକ ପଡିଲେ ସୁଙ୍କିଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ସାଗୁଆ ଗାଁରେ ବିଶ୍ୱଜିତ ନାୟକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରା ଯାଇଥିଲା । ବିଶ୍ୱଜିତଙ୍କ ଘରେ ସୁଙ୍କି କେୟାରଟେକର କାମ କରୁଥିବା ବେଳେ ତାଙ୍କ ହତ୍ୟା ପରଠୁ ସେ ଫେରାର ହୋଇ ଯାଇଥିଲେ । ତେଣୁ ସେ ପୁଲିସ୍‌ର ସନ୍ଦେହଘେରକୁ ଆସି ଯାଇଥିବା ବେଳେ ପୁଲିସ୍ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପୁରୀରୁ ଗିରଫ କରିଥିଲା ।

Leave A Reply

Your email address will not be published.