ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ନଦେବା ପାଇଁ କରୋନା ଦାୟୀ: ଓଷ୍ଟା

ଭୁବନେଶ୍ୱର : ଗତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଫର୍ମ ପୂରଣ କରି ପରୀକ୍ଷା ଦେଇନଥିବା ୪୩ହଜାର ଛାତ୍ରଛାତ୍ରୀଙ୍କ ପାଇଁ କେହି ଦାୟୀ ନୁହଁନ୍ତି । କେବଳ କରୋନା ଓ ଓଡ଼ିଶାର ଦାରିଦ୍ର‌୍ୟତା ହିଁ ଦାୟୀ ବୋଲି ବୁଧବାର ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଗତ ୭ରେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା (ସମ୍‌ମେଟିଭ୍ – ୨) ଶେଷ ହୋଇଛି । ଚଳିତ ବର୍ଷ ଏହି ପରୀକ୍ଷା ପାଇଁ ୫,୭୧,୯୦୯ ସଂଖ୍ୟକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବାବେଳେ ୫,୨୮,୪୨୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ବୋଲି ବୋର୍ଡ ପକ୍ଷରୁ ପ୍ରକାଶିତ ହୋଇଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ୨୦୨୦ରୁ ୨୦୨୨ ମସିହା ମଧ୍ୟରେ ଅଷ୍ଟମ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କରୋନାର କଠିନ ସମୟ ଦେଇ ଆସିଛନ୍ତି । ବିନା ପରୀକ୍ଷାରେ ସେମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିଦିଆଯାଇଛି । ସାଧାରଣ ଭାବରେ ବର୍ଷକୁ ଯଦି ୨୦ହଜାର ଲେଖାଏଁ ଛାତ୍ରଛାତ୍ରୀ ଡ୍ରପ୍‌ଆଉଟ୍ ହୁଅନ୍ତି ତେବେ ଉକ୍ତ ଦୁଇବର୍ଷରୁ ଅଧିକ ସମୟ ମଧ୍ୟରେ ୪୩ ହଜାର ଡ୍ରପ୍‌ଆଉଟ୍ ହେବା ଏକ ଗାଣିତିକ ହିସାବ ।

ଫର୍ମପୂରଣର ସରଳୀକରଣ ପାଇଁ ସେମାନଙ୍କ ମଧ୍ୟରୁ ପ୍ରାୟ ୩୭ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଫେରିଆସି ଚଳିତ ବର୍ଷ ପରୀକ୍ଷା ଦେଇଛନ୍ତି । ଅବଶିଷ୍ଟ ପ୍ରାୟ ୪୩ହଜାର ଛାତ୍ରଛାତ୍ରୀ ୨ବର୍ଷର ପାଠପଢ଼ା ବ୍ୟବଧାନ ପାଇଁ ନିଜର ଆତ୍ମବିଶ୍ୱାସ ଜୁଟାଇ ନପାରି ପରୀକ୍ଷାରେ ଯୋଗ ଦେଲେ ନାହିଁ । ଏଥିପାଇଁ କେହି ବି ଦାୟୀ ନୁହଁନ୍ତି । ଓଷ୍ଟା ପକ୍ଷରୁ ଉକ୍ତ ଖବର ଉପରେ ଯାହା ଅନୁଧ୍ୟାନ କରାଯାଇଛି, ଅନୁପସ୍ଥିତଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷାକୁ ଆଣିବା ପାଇଁ ବିଦ୍ୟାଳୟ ତରଫରୁ ପ୍ରତ୍ୟେକ ପରିବାରକୁ ଖବର ଦିଆଯିବା ସହିତ ଦୂରଦୂରାନ୍ତକୁ ଚାଲିଯାଇଥିବା ଛାତ୍ରଛାତ୍ରୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଛି ।

Leave A Reply

Your email address will not be published.