୧୨ ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ

ପୁରୀ : ରଥଖଳାରେ ଜୋର୍‌ସୋର୍‌ରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ରଥଖଳାରେ ମହାରଣା, ଭୋଇ ସେବକଙ୍କ ସହ ଅନ୍ୟ ସେବକମାନେ କାର୍ଯ୍ୟରେ ଲାଗିପଡିଛନ୍ତି । ତିନି ରଥର ଚକରେ ଲାଗିବାକୁ ଥିବା ତୁମ୍ବଗୁଡିକରେ ବିନ୍ଧ କାର୍ଯ୍ୟ ଆଗେଇ ଚାଲିଛି । ବୁଧବାର ସୁଦ୍ଧା ୧୨ ତୁମ୍ବରେ ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ରଥ ନିର୍ମାଣର ଅଷ୍ଟମ ଦିନରେ ତିନିରଥର ନିର୍ମାଣ କାମରେ ମହାରଣା, ଭୋଇ, କରତି ସେବକ ଓ ପାହି ମହାରଣା ଏବଂ ଓଝା ବା କମାର ସେବକ ମିଶି ୧୨୯ ଜଣ କାର୍ଯ୍ୟରେ ଯୋଗଦେଇଥିଲେ ।

ଇତିମଧ୍ୟରେ ତାଳଧ୍ୱଜ ରଥର ତିନୋଟି ତୁମ୍ବ ବିନ୍ଧ କାର୍ଯ୍ୟ ଶେଷ ହୋଇ ବାକି ୧୧ତୁମ୍ବର ବିନ୍ଧ କାର୍ଯ୍ୟ ମହାରଣା ସେବକମାନେ ଜାରି ରଖିଛନ୍ତି । ଦେବଦଳନ ରଥର ମୋଟ ୧୨ତୁମ୍ବରୁ ୩ ଗୋଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇ ଶେଷ ୯ ତୁମ୍ବର ବିନ୍ଧ କାର୍ଯ୍ୟ ଚାଲୁରହିଛି । ସେହିପରି ନନ୍ଦିଘୋଷ ରଥର ମୋଟ ୧୬ ଚକ ମଧ୍ୟରୁ ୬ ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ବାକି ୧୦ ତୁମ୍ବର ବିନ୍ଧ କାର୍ଯ୍ୟ ଜାରି ରହିଛି । ଏହା ସହିତ ଦୋଳବେଦୀସ୍ଥିତ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ଅର କଣ୍ଟା ନିର୍ମାଣ ସହ ପନ୍ଦାରୀ ପୋଡ଼ା କାର୍ଯ୍ୟ ଆରମ୍ଭ କରିଥିଲେ । ନନ୍ଦିଘୋଷ ରଥ, ଦେବଦଳନ ରଥର ଓଝା ସେବକମାନେ ଅର କଣ୍ଟା ସହ ୮ ଟି ଲେଖାଁଏ ପନ୍ଦାରୀ ପଡିଥିବାବେଳେ ତାଳଧ୍ୱଜ ରଥର ଓଝା ସେବକମାନେ ଅର କଣ୍ଟା ନିର୍ମାଣରେ ବ୍ୟସ୍ତ ରହି ଅପରାହ୍ଣରେ ପନ୍ଦାରୀ ପୋଡ଼ା କାର୍ଯ୍ୟ ଆରମ୍ଭ କରିଥିଲେ । ଏହା ପରେ ପନ୍ଦାରୀ ମଳି ଛଡ଼ା କାର୍ଯ୍ୟ ହୋଇ ପନ୍ଦାରୀ ମଠା କାମ ଆରମ୍ଭ ହେବ ।

Leave A Reply

Your email address will not be published.