ଭଦ୍ରକ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଭଦ୍ରକ,(ଏସ୍‌ଏନ୍ୟୁଜ): ପୋଲିସ ଶୁଣିଲାନି । ଥାନାକୁ ଦୌଡି ଦୌଡି ନୟାନ୍ତ ହେଲେଣି ମା’ ଓ ପୁଅ । ଏମିତି କି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ପହଞ୍ଚି ଏସପିଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଲାନି । ଶେଷରେ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମା’ ଓ ପୁଅ କିରୋସିନ ଢାଳି ହୋଇ ଆତ୍ମାହୂତୀ ଉଦ୍ୟମ କରିଛନ୍ତି ।

ସୂଚନ ଅନୁଯାୟୀ, ମା ଓ ପୁଅ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଗଣିଜାଙ୍ଗ ଅଞ୍ଚଳର ପଞ୍ଚାନନ ପାତ୍ର ଓ ଜ୍ୟୋସ୍ନାରାଣୀ ପାତ୍ର ।  ଜମିବାଡ଼ି ବିବାଦ ନେଇ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଜମି ଜବରଦଖଲ ହୋଇଥିବା ନେଇ ପୋଲିସ, ତହସିଲଦାର, ଜିଲ୍ଲାପାଳଙ୍କ ନିକଟରେ ବହୁ ଥର ଅଭିଯୋଗ କରିଥିଲେ ।  କୋର୍ଟରେ ମଧ୍ୟ ଆଶ୍ରୟ ନେଇଥିଲେ ।  ଡିଗ୍ରୀ ପରେ ମଧ୍ୟ ଜବରଦଖଲକାରୀ ନିୟମକୁ ମାନିନଥିଲେ । ଏନେଇ ଉଭୟ ମା’ ଓ ପୁଅ ପୁଣି ଗ୍ରାମାଞ୍ଚଳ ଥାନାର ଆଶ୍ରୟ ନେବା ସହ ଭଦ୍ରକ ଏସପିଙ୍କୁ ଭେଟିଥିଲେ । ଏସପିଙ୍କ କାର୍ଯ୍ୟାନୁଷ୍ଠାନ ପ୍ରତିଶୃତି ପରେ ମଧ୍ୟ ଜବରଦଖଲକାରୀ କୌଣସି ଭୁକ୍ଷେପ କରିନଥିଲେ । ଶେଷରେ ମା ଓ ପୁଅ ଭଦ୍ରକ ଏସପିଙ୍କୁ ଭେଟିବା ସହ କୌଣସି ସଠିକ୍ ଉତ୍ତର ନପାଇବାରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିରୋସିନ ଢାଳି ହେବା ବେଳେ ପୋଲିସ କର୍ମୀମାନେ ତାଙ୍କୁ ଉଦ୍ଧାର କରିଛନ୍ତି । ତେବେ ଏନେଇ ପୋଲିସ କୌଣସି ପ୍ରତିକ୍ରିୟା ଦେଇନାହିଁ ।

Leave A Reply

Your email address will not be published.