ଚତୁର୍ଥ ଥର ପାଇଁ ସବୁଠୁ ଧନୀ ଭାରତୀୟ ସେଲିବ୍ରିଟି ତାଲିକାର ଶୀର୍ଷରେ ବିରାଟ କୋହଲି

ମୁମ୍ବାଇ : ଭାରତୀୟ କ୍ରିକେଟର ବିରାଟ କୋହଲି ଗୋଟିଏ ପରେ ଗୋଟିଏ ରେକର୍ଡ ରଚି ଚାଲିଛନ୍ତି। ଫିଲ୍ମ ତାରାକାଙ୍କୁ ପଛରେ ପକାଇ ଲଗାତାର ଚତୁର୍ଥ ଥର ପାଇଁ ସବୁଠୁ ଧନୀ ଭାରତୀୟ ସେଲିବ୍ରିଟି ତାଲିକାର ଶୀର୍ଷରେ ରହିଛନ୍ତି ବିରାଟ। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୨୩.୭୭ କୋଟି ଆମେରିକୀୟ ଡଲାର ବ୍ରାଣ୍ଡ ମୂଲ୍ୟ ସହିତ ସବୁଠୁ ଧନୀ ସେଲିବ୍ରିଟି ହୋଇଛନ୍ତି । ତାଙ୍କ ପଛକୁ  ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ଯଥାକ୍ରମେ ଅଭିନେତା ଅକ୍ଷୟ କୁମାର ଓ  ରଣବୀର ସିଂହ ରହିଛନ୍ତି।

ବ୍ରାଣ୍ଡ ମୂଲ୍ୟାଙ୍କନ ଅନୁସାରେ ସେଲିବ୍ରିଟିଙ୍କ ଲିଷ୍ଟ ବାହାର କରୁଥିବା ସଂସ୍ଥା ଡଫ୍‌ ଆଣ୍ଡ ଫେଲପ୍ସ ରିପୋର୍ଟରେ ଏହା ଦର୍ଶାଇଛି। ସଂସ୍ଥା ପକ୍ଷରୁ ଗୁରୁବାର ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ୨୦୨୦ ସବୁଠୁ ମୂଲ୍ୟବାନ ସେଲିବ୍ରିଟି ଲିଷ୍ଟର ଟପ୍‌ ୧୦ରେ କୋହଲି ଅନ୍ୟ କ୍ଷେତ୍ରର ହୋଇଥିବା ବେଳେ ଏଥିରେ ଦୁଇ ଜଣ ମହିଳା ସ୍ଥାନ ପାଇଛନ୍ତି।

ଏଥିରୁ ଜଣାପଡ଼ିଛି ଯେ, କୋହଲିଙ୍କ ବ୍ରାଣ୍ଡ ଭାଲ୍ୟୁ ଅପରିବର୍ତ୍ତିତ ରହିଥିବା ବେଳେ ଟପ୍‌ ୨୦ ସେଲିବ୍ରିଟି ମୋଟ ମୂଲ୍ୟର ୫ ପ୍ରତିଶତ ଅର୍ଥାତ ପାଖାପାଖି ଏକ ଆରବ ଆମେରିକୀୟ ଡଲାର ହରାଇଦେଇଛନ୍ତି। କୋହଲି ଳଗାତାର ଚତୁର୍ଥ ଥର ସବୁଠୁ ମୂଲ୍ୟବାନ ସେଲିବ୍ରିଟି ହୋଇଛନ୍ତି। କୋଭିଡ-୧୯ ମହାମାରୀ ସତ୍ବେ ତାଙ୍କର ବ୍ରାଣ୍ଡ ମୂଲ୍ୟ ୨୩.୭୭ କୋଟି ଡଲାର ରହିଛି।

 ଅକ୍ଷୟ କୁମାରଙ୍କ ବ୍ରାଣ୍ଡ ମୂଲ୍ୟ ୧୩.୮ ପ୍ରତିଶତ ବୃଦ୍ଧି ପାଇ ୧୧.୮୯ କୋଟି ଡଲାରରେ ପହଞ୍ଚିବା ସହ ସେ ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଏହାସହ ରଣବୀର ସିଂହ ୧୦.୨୯ କୋଟି ଡଲାର ବ୍ରାଣ୍ଡ ମୂଲ୍ୟ ସହ ତୃତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ଶାହରୁଖ ଖାନ ୫.୧୧ କୋଟି ଡଲାର ବ୍ରାଣ୍ଡ ମୂଲ୍ୟ ସହ ଚତୁର୍ଥରେ ରହିଥିବା ଜଣାପଡ଼ିଛି। ତାଙ୍କ ପରେ ପରେ ଦୀପିକା ପାଦୁକୋନ ଏବଂ ଆଲିଆ ଭଟ୍ଟ ରହିଛନ୍ତି।

Leave A Reply

Your email address will not be published.