ଗଠନ ହେଲା ‘ଟ୍ରାଏଲ ମନିଟରିଂ ୟୁନିଟ୍’ : ପେଷାଦାର ଅପରାଧୀଙ୍କ ଖସିବାର ସମସ୍ତ ବାଟ ବନ୍ଦ

ଭୁବନେଶ୍ୱର:(ଏସ. ନ୍ୟୁଜ୍‌):  ପୂର୍ବରୁ ମାମଲା ପରିଚାଳନାରେ ତାଳମେଳ ରହୁ ନଥିବାରୁ ଅନେକ ପୋଷାଦାର ଅପରାଧୀ ଖସିଯାଉଥିଲେ । ସରକାରୀ ଓକିଲଙ୍କ ସହ ସମନ୍ୱୟର ଅଭାବ ରହିବା ସହ ଠିକ୍ ସମୟରେ ତଥ୍ୟ ପ୍ରମାଣ ଦାଖଲ ହୋଇପାରୁନଥିଲା । ଫଳରେ ବିଭିନ୍ନ କାରଣରୁ ସାକ୍ଷୀମାନେ ପ୍ରଭାବିତ ହେଉଥିଲେ । ଅନେକ ସମୟରେ ଯୋଜନାବଦ୍ଧ ଭାବେ ଏଭଳି ପରିସ୍ଥିତି ସୃଷ୍ଟି କରି ଦଣ୍ଡାଦେଶରୁ ଖସିଯାଉଥିଲେ ଅନେକ ପୋଷାଦାର ଅପରାଧୀ । ତେବେ ଏଣିକି ଆଉ ସେଭଳି ଘଟିବ ନାହିଁ । କଟକ କମିଶନରେଟ୍ ପୋଲିସ ଗଠନ କରିଛି ‘ଟ୍ରାଏଲ ମନିଟରିଂ ୟୁନିଟ୍’ ।

ଏଣିକି ପୂର୍ବଭଳି ଅପରାଧୀଙ୍କୁ ଗିରଫ କରି କୋର୍ଟରେ ଚାର୍ଜସିଟ ଦାଖଲ କରିବା ପରେ ପୋଲିସ ଆଉ ଫୁଲାଫାଙ୍କିଆ ହେବ ନାହିଁ । ମାମଲା ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ଶୁଣାଣି ସମୟରେ ସାକ୍ଷୀମାନେ କିଭଳି ଠିକ୍ ସମୟରେ କୋର୍ଟରେ ପହଞ୍ଚିବେ ସେଥିନେଇ ଦୃଷ୍ଟି ରଖାଯିବ । ସାକ୍ଷୀମାନଙ୍କୁ ଭୟ ଓ ଚାପମୁକ୍ତ ରଖାଯିବା ସହ ଠିକ୍ ସମୟରେ ତଥ୍ୟ, ପ୍ରମାଣ କୋର୍ଟରେ ଦାଖଲ ହେବ । ସରକାରୀ ଓକିଲ କିଭଳି ମାମଲାକୁ ଗୁରୁତର ଭାବେ ପରିଚାଳନା କରିବେ ସେଥିପ୍ରତି ମଧ୍ୟ ନଜର ରଖାଯିବ । ତେବେ ପ୍ରଥମ ପର୍ଯ୍ୟାୟରେ ୧୦୦ଟି ସଙ୍ଗୀନ ମାମଲାକୁ କଟକ ପୋଲିସ ଟାର୍ଗେଟ୍ କରିଛି । ଏଣିକି ସାକ୍ଷୀମାନେ ବିନା ଭୟରେ ପୋଲିସର ନିଜସ୍ୱ ବ୍ୟବସ୍ଥାରେ ଘରୁ ଯାଇ କୋର୍ଟରେ ପହଞ୍ଚିବେ । ବିଚାର ପ୍ରକ୍ରିୟା ଚାଲିଥିବା ବେଳେ ଯଦି କୌଣସି ରିପୋର୍ଟ କୋର୍ଟ ଆବଶ୍ୟକ କରନ୍ତି, ତେବେ ତାହା ପୋଲିସର ଏହି ୟୁନିଟ୍ ତୁରନ୍ତ ଦାଖଲ କରିବ । ପ୍ରତ୍ୟେକ ସପ୍ତାହରେ ୟୁନିଟର ଗୋଟିଏ ଦିନ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । କଟକ ଡିସିପିଙ୍କ ନେତୃତ୍ୱରେ ଏହି ୟୁନିଟ୍ ଗଠନ କରାଯିବା ସହ ତାଙ୍କୁ ସହଯୋଗ କରିବା ପାଇଁ ସ୍କ୍ୱାଡରେ ଜଣେ ଏସିପି ଓ ଜଣେ ଇନ୍ସପେକ୍ଟର ରହିଛନ୍ତି ।

Leave A Reply

Your email address will not be published.