ଗୁଗଲ ବିଜ୍ଞାପନରେ କେଉଁ ଦଳ କେତେ ଖର୍ଚ୍ଚ କରିଛି ?

କେନ୍ଦ୍ରରେ କ୍ରମାଗତ ଭାବେ ତୃତୀୟଥର ପାଇଁ କ୍ଷମତାକୁ ଆସିବା ଲାଗି ବିଜେପି ସବୁ ବଳ ଖଟାଇଛି । କେବଳ ପ୍ରତ୍ୟକ୍ଷ ସ୍ତରରେ ନୁହେଁ, ଡିଜିଟାଲ କ୍ଷେତ୍ରକୁ ମଧ୍ୟ ବିଜେପି ଗୈରିକମୟ କରିଦେଇଛି । ଗୁଗଲରେ ବିଜ୍ଞାପନ ଦେବାରେ ବିଜେପି ସବୁଠାରୁ ଶୀର୍ଷରେ ରହିଛି । ଦେଶର ସବୁ ରାଜନୈତିକ ଦଳ ଓ ସେମାନଙ୍କର ସହଯୋଗୀ ସଙ୍ଗଠନ ଜାନୁଆରୀ ୧ ତାରିଖରୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଗୁଗଲରେ ବିଜ୍ଞାପନ ବାବଦରେ ମୋଟ ୧୧୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସେଥିରୁ କେବଳ ବିଜେପି ଏକ ତୃତୀୟାଂଶ ଅର୍ଥାତ ୩୯ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ବିଜେପି ତଳକୁ ଦ୍ୱିତୀୟ ସ୍ଥାନରେ ରହିଛି ସରକାରୀ ଏଜେନ୍ସି କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) । ଏହି ସମୟ ଭିତରେ ଏହି ସଂସ୍ଥା ଗୁଗଲରେ ମୋଟ ୩୨.୩ କୋଟି ଟଙ୍କାର ରାଜନୈତିକ ବିଜ୍ଞାପନ ଦେଇଛି । ଗୁଗୁଲରେ ବିଜେପି ପକ୍ଷରୁ ୩୯ କୋଟି ଟଙ୍କାର ମୋଟ ୭୮ ହଜାର ବିଜ୍ଞାପନ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଜନଧନ ଯୋଜନା ସମ୍ପର୍କରେ ଅଧିକ ବିଜ୍ଞାପନ ଦିଆଯାଇଛି । ଫେବ୍ରୁଆରୀ ୧୦ରୁ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୪୯ ଦିନ ଧରି ଏହି ବିଜ୍ଞାପନ ଗୁଗୁଲରେ ଚାଲିଥିଲା । ସେହିଭଳି ଦ୍ୱିତୀୟ ବଡ଼ ଖର୍ଚ୍ଚ ଥିଲା ମୁଦ୍ରାୠଣକୁ ପ୍ରୋତ୍ସାହନ ଦେବା ଲାଗି ଉଦ୍ଦିଷ୍ଟ ତାମିଲ ଭାଷାର ଭିଡିଓ ବିଜ୍ଞାପନ । ତୃତୀୟ ସ୍ଥାନରେ ରହିଛି ତାମିଲନାଡୁର ଶାସକ ଦଳ ଡିଏମ୍କେ । ଡିଏମ୍କେ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ପିପୁଲସ ଏମ୍ପାୱାରମେଣ୍ଟ ପ୍ରାଇଭେଟ ଲିମିଟେଡ ୧୦.୨ କୋଟି ଟଙ୍କାର ବିଜ୍ଞାପନ ଦେଇଛି।

Leave A Reply

Your email address will not be published.