କଫ ସିରପକୁ ଖାଇ ୬୬ ଶିଶୁଙ୍କ ଜୀବନ ଯାଇଛି: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କଫ ସିରପକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ବଡ଼ ଖୁଲାସା କରିଛି । କଫ ସିରପ ବ୍ୟବହାର କରିବା ଦ୍ୱାରା ୬୬ଜଣ ପିଲାଙ୍କ ମୃତ୍ୟୁ ହୋଇଥିବା କହିଛି ଡବ୍ଲୁଏଚଓ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ, ପଶ୍ଚିମ ଆଫ୍ରିକୀୟ ଦେଶ ଗାମ୍ବିଆରେ ଏକ ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଦ୍ବାରା ଏକ କଫ ସିରପ ପ୍ରସ୍ତୁତ କରାଯାଇଥିଲା । ଯାହାକୁ ପିଲା ମାନେ ସେବନ କରିବା ଦ୍ୱାରା ସେମାନଙ୍କର ମୃତ୍ୟୁ ହୋଇଛି । ଆଗକୁ ଏହି କଫ ସିରପ ବ୍ୟବହାର ନକରିବାକୁ ଡବ୍ଲୁଏଚଓ ଚେତାବନୀ ଦେଇଛି । ତାହା ସହ ଏହି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ପାଇଁ ଦିଲ୍ଲୀର ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଦିଆଯାଇଥିବା ସୂଚନା ଅନୁସାରେ, ଏହି କଫ ସିରପକୁ ହରିୟାଣାର ଏକ କମ୍ପାନୀ ପ୍ରସ୍ତୁତ କରୁଥିଲା । ବୁଧବାର ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ପ୍ରସ୍ତୁତ ହୋଇଥିବା ଡାଏଥାଇଲନ୍ ଗ୍ଲାଇକଲ୍ ଏବଂ ଇଥିଲିନ୍ ଗ୍ଲାଇକଲ୍ କାଶ ଔଷଧ ମଣିଷ ପାଇଁ ବିଷ ସଦୃଶ । ଏହାକୁ ନେଇ ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ ମଧ୍ୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏହି ସିରପ ଖାଇବା ଦ୍ୱାରା ପିଲାମାନଙ୍କ କିଡନୀ ନଷ୍ଟ ହୋଇଯାଇଥିଲା । ଏ ସମ୍ପର୍କରେ ଅନୁସନ୍ଧାନ କରାଯାଉଛି । ପିଲାମାନଙ୍କର ମୃତ୍ୟୁର କାରଣ କାଶ ଔଷଧ ବୋଲି ଜଣାପଡ଼ିଛି । ଅନ୍ୟ ଦେଶ ମାନଙ୍କୁ ମଧ୍ୟ ଏନେଇ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.