ଡେଙ୍ଗୁ ମୁକାବିଲା ନେଇ ବିଏମ୍‌ସି କମିଶନର ନିଷ୍ପତ୍ତି, ଦୈନିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଡେଙ୍ଗୁ ମୁକାବିଲା ନେଇ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଛି । ଡାକ୍ତର କେତେ ବିଦ୍ୟାଳୟ ଓ ଘର ବୁଲି ଲୋକଙ୍କୁ ସଚେତନ କରିଛନ୍ତି ଏଥିରେ ଆଲୋଚନା ହୋଇଥିଲା ।ଏଣିକି କେଉଁ ଡାକ୍ତର, ୱାର୍ଡ ଅଫିସର, ସାନିଟାରୀ ଇନ୍‌ସପେକ୍ଟର କେତେ ଘରକୁ ଗଲେ, କେଉଁ ଅଞ୍ଚଳ ବୁଲିଲେ ତାହାର ଦୈନିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ।

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଡେଙ୍ଗୁ ସମ୍ପର୍କରେ ସଚେତନ କରାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସମସ୍ତ ୱାର୍ଡରେ ରବିବାର ଡ୍ରାଏ ଡେ ପାଳନ କରାଯିବ ।

ସମ୍ପୃକ୍ତ ୱାର୍ଡର କର୍ପୋରେଟରଙ୍କ ନେତୃତ୍ୱରେ ଡ୍ରାଏ ଡେ, ବର୍ଜ୍ୟ ପୃଥକୀକରଣ ଏବଂ ଡେଙ୍ଗୁ ସଚେତନତା ପଦଯାତ୍ରା ଜୋରଦାର ହେବ । ସମସ୍ତ ଜୋନାଲ ଡେପୁଟି କମିଶନର, ୱାର୍ଡ ଅଫିସର ଓ ଏସ୍‌ଆଇମାନଙ୍କୁ ନିର୍ଦ୍ଦେଶ ହୋଇଛି । ଅକ୍ଟୋବରରେ ମଧ୍ୟ ଆମକୁ ଡେଙ୍ଗୁ ସଚେନତା ଚାଲୁ ରଖିବାକୁ ପଡ଼ିପାରେ ବୋଲି ସେ କହିଛନ୍ତି ।

ସେହିପରି ଦୈନିକ କେଉଁ କେଉଁ ସ୍ଥାନରେ ମଶା ଧୂଆଁ ଦିଆଯାଉଛି ଓ ମଶା ତେଲ ସିଞ୍ଚନ କରାଯାଉଛି, ତାହାର ରିପୋର୍ଟ ୱାର୍ଡ ଅଫିସର ଦେବେ । ବୁସ୍‌ କଟିଂ, ବର୍ଜ୍ୟ ଉଠାଇବା ଠିକ୍‌ ଭାବେ ହେଉଛି କି ନାହିଁ, ଆଦି ସମସ୍ତ କାର୍ୟ୍ୟର କ୍ଷେତ୍ର ପରିଦର୍ଶନ କରିବେ । ଡେଙ୍ଗୁ ରୋଗୀ ଥିବା ପରିବାରର ଘର ଓ ଘର ଚାରିପାଖ ଭଲ ଭାବେ ଯାଞ୍ଚ କରିବା ଦରକାର । ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ କୁହାଯାଇଛି । ଏହାର ପୂର୍ବାବସ୍ଥା ଏବଂ ପରାବସ୍ଥାର ଫଟୋଚିତ୍ର ଆଣି ବିବରଣୀ ଦେବାକୁ ଆଲୋଚନା କରାଯାଇଛି ।ମଳ ନିଷ୍କାସନ ପାଇଁ ୧୪୪୨୦ ଟୋଲ ଫ୍ରି ନମ୍ବର କଲ୍‌ କିମ୍ବା ସଫା ଭୁବନେଶ୍ୱର ଆପ୍‌ରେ ବୁକ୍‌ କରିବାକୁ କୁହାଯାଇଛି ।

Leave A Reply

Your email address will not be published.