ଜନସନ ଆଣ୍ଡ ଜନସନ ବେବି ପାଉଡର ନମୁନା ପରୀକ୍ଷା କରିବାକୁ ନିର୍ଦ୍ଦେଶ

ବମ୍ବେ ହାଇକୋର୍ଟ ବୁଧବାର ଜନସନ ଆଣ୍ଡ ଜନସନ ବେବି ପାଉଡରର ନମୁନା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କୋର୍ଟ କମ୍ପାନୀକୁ ଉତ୍ପାଦ (ବେବି ପାଉଡର) ଉତ୍ପାଦନ କରିବାକୁ ଅନୁମତି ଦେଇଛନ୍ତି, ହେଲେ ଏହାକୁ ବିକ୍ରି କରାଯାଇପାରିବ ନାହିଁ ବୋଲି କହିଛନ୍ତି । କମ୍ପାନୀ ରାଜ୍ୟ ସରକାରଙ୍କ ଦୁଇଟି ଆଦେଶକୁ ଚ୍ୟାଲେଞ୍ଜ କରି ଏକ ଆବେଦନ କରିଥିଲା ।

ସେଥିମଧ୍ୟରୁ ସେପ୍ଟେମ୍ବର ୧୫ ଆଦେଶରେ ଲାଇସେନ୍ସକୁ ରଦ୍ଦ କରିବା ଏବଂ ସେପ୍ଟେମ୍ବର ୨୦ ଆଦେଶରେ କମ୍ପାନୀର ବେବି ପାଉଡର ଉତ୍ପାଦନର ତୁରନ୍ତ ବିକ୍ରୟ ବନ୍ଦ କରିବାକୁ କୁହାଯାଇଥିଲା । ଏହି ନିର୍ଦ୍ଦେଶ ରାଜ୍ୟ ଖାଦ୍ୟ ଏବଂ ଔଷଧି ପ୍ରଶାସନର ସଂଯୁକ୍ତ ଆୟୁକ୍ତ ଏବଂ ଲାଇସେନ୍ସ ପ୍ରାଧିକରଣ ଦ୍ୱାରା ଦିଆଯାଇଥିଲା । ଜଷ୍ଟିସ୍ ଏସ୍ ବି. ଗଙ୍ଗାପୁରୱାଲା ଏବଂ ଜଷ୍ଟିସ୍ ଏସ୍ ଜି. ଡିଗେଙ୍କ ଖଣ୍ଡପୀଠ ବୁଧବାର ଦିନ ମୁମ୍ବାଇର ମୁଲୁଣ୍ଡ ଅଞ୍ଚଳରେ ଥିବା କମ୍ପାନୀର କାରଖାନାରୁ ତାଜା ନମୁନା ସଂଗ୍ରହ କରିବାକୁ FDA କୁ ନିର୍ଦ୍ଦେଶ ଦେଇଛି । ଏହାକୁ ୩ ଦିନ ଭିତରେ ସଂଗ୍ରହ କରିବାକୁ କୁହାଯାଇଛି ।

ଏହା ପରେ, ଏହି ନମୁନା ଗୁଡିକ ପରୀକ୍ଷା ପାଇଁ ତିନୋଟି ପ୍ରୟୋଗଶାଳା ବା ଲାବୋରେଟୋରୀ (ଦୁଇଟି ସରକାରୀ ଏବଂ ଗୋଟିଏ ଘରୋଇ) ପଠାଯିବ । ପରୀକ୍ଷା ପାଇଁ ସେଣ୍ଟ୍ରାଲ ଡ୍ରଗ୍ ଟେଷ୍ଟିଂ ଲାବୋରେଟୋରୀ, ଏଫଡିଏ ଲ୍ୟାବ ଏବଂ ଇଣ୍ଟରଟେକ ଲାବୋରେଟୋରୀକୁ ନମୁନା ପଠାଯିବ ବୋଲି କୋର୍ଟ କହିଛନ୍ତି । ଏହା ପରେ, ଏହି ଲାବୋରେଟୋରୀ ଗୁଡିକ ଏକ ସପ୍ତାହ ମଧ୍ୟରେ ସେମାନଙ୍କର ରିପୋର୍ଟ ଦାଖଲ କରିବାକୁ ପଡିବ ।

କମ୍ପାନୀ ପକ୍ଷରୁ ବରିଷ୍ଠ ଓକିଲ ରବି କାଦମ କୋର୍ଟଙ୍କୁ କହିଛନ୍ତି କି, କମ୍ପାନୀକୁ ଅନ୍ତତପକ୍ଷେ ଉତ୍ପାଦ ଉତ୍ପାଦନ କରିବାକୁ ଅନୁମତି ଦିଆଯାଉ । ଏହା ଉପରେ ଖଣ୍ଡପୀଠ କହିଛନ୍ତି ଯେ ସରକାର ଆବେଦନକାରୀଙ୍କୁ ବେବି ପାଉଡର ବିକ୍ରୟ କିମ୍ବା ବିତରଣରୁ ନିବୃତ୍ତ କରିଛନ୍ତି । କମ୍ପାନୀକୁ ଏହି ଆଦେଶ ପାଳନ କରିବାକୁ ପଡିବ । ଯଦି କମ୍ପାନୀ ଉତ୍ପାଦ ଉତ୍ପାଦନ କରିବାକୁ ଚାହୁଁଛି, ତେବେ ସେ ନିଜ ବିପଦରେ ପଡ଼ିବ ।

Leave A Reply

Your email address will not be published.