ନିର୍ଦ୍ଦେଶକ ପଦ୍ମଶ୍ରୀ ସାଧୁ ମେହେରଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ବରିଷ୍ଠ ଅଭିନେତା ତଥା ଫିଲ୍ମ ନିର୍ଦ୍ଦେଶକ ପଦ୍ମଶ୍ରୀ ସାଧୁ ମେହେରଙ୍କ ପରଲୋକ । ୮୪ ବର୍ଷ ବୟସରେ ମୁମ୍ବାଇରେ ସାଧୁ ମେହେରଙ୍କ ପରଲୋକ । ସିନେମା ଜଗତକୁ ତାଙ୍କର ଅବଦାନ ପାଇଁ ୨୦୧୭ରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମଶ୍ରୀ ସମ୍ମାନ ।

୩୮ଟି ଓଡ଼ିଆ ଫିଲ୍ମରେ ସେ ତାଙ୍କ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନ ଜିଣିଛନ୍ତି । ସେହିପରି ୫ଟି ଫିଲ୍ମରେ ଦେଇଛନ୍ତି ନିର୍ଦ୍ଦେଶନା । ସାଧୁ ମେହେରଙ୍କ ପରଲୋକ ନେଇ ସୂଚନା ଦେଲେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ।

ଉଭୟ ହିନ୍ଦି ଓ ଓଡ଼ିଆ ଫିଲ୍ମରେ ଖ୍ୟାତି ଅର୍ଜନ କରିଛନ୍ତି ସାଧୁ ମେହେର । ଅଙ୍କୁର, ମୃଗୟା, ଭୁବନ, ସୋମ୍ ଓ ମନ୍ଥନ ଭଳି ଚଳଚ୍ଚିତ୍ରରେ ଛାଡି ଯାଇଛନ୍ତି ନିଖୁଣ ଅଭିନୟର ଛାପ ।

ତେବେ ବିଶିଷ୍ଠ ଅଭିନେତା ତଥା ଫିଲ୍ମ ନିର୍ଦ୍ଦେଶକ ସାଧୁ ମେହେରଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି, ପଦ୍ମଶ୍ରୀ ସାଧୁ ମେହେର ତାଙ୍କର ବଳିଷ୍ଠ ଅଭିନୟ ଓ ନିର୍ଦ୍ଦେଶନା ପାଇଁ ଓଡିଶା ସମେତ ଜାତୀୟ ସ୍ତରରେ ଥିଲେ ଜଣେ ପ୍ରଶଂସନୀୟ ବ୍ୟକ୍ତିତ୍ୱ ।

ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ସାଧୁ ମେହେରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ନିଖୁଣ ଅଭିନୟ ଦ୍ୱାରା ସେ ଉଭୟ ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ରରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛନ୍ତି। ସେ ହେଉଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଥମ ଓଡ଼ିଆ ଅଭିନେତା। ତାଙ୍କ ବିୟୋଗ କଳା ଜଗତ ପାଇଁ ଅପୂରଣୀୟ କ୍ଷତି। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।

Leave A Reply

Your email address will not be published.