କ୍ରିକେଟର ମହମ୍ମଦ ଶାମିଙ୍କ ବଦାନ୍ୟତା; ଦେବଦୂତ ସାଜି ବଞ୍ଚାଇଲେ ଲୋକଙ୍କ ଜୀବନ

ପୁଣି ହିରୋ ସାଜିଲେ ଭାରତୀୟ କ୍ରିକେଟ ଟିମର ଷ୍ଟାର ବୋଲର ମହମ୍ମଦ ଶାମି । ଦେବଦୂତ ସାଜି ବଞ୍ଚାଇଲେ ଲୋକଙ୍କ ଜୀବନ । ଶାମି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ଜୀବନ ବଞ୍ଚାଇ ପୁଣି ହିରୋ ହୋଇଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଶାମି ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ଭିଡିଓ ସେୟାର କରିଛନ୍ତି । ଆଉ ଲେଖିଛନ୍ତି, ‘ କାହାର ଜୀବନ ବଞ୍ଚାଇ ବହୁତ ଖୁସି’ ।

ଖବର ମୁତାବକ, ଶନିବାର ଶାମି ଛୁଟି କାଟିବା ପାଇଁ ଉତ୍ତରାଖଣ୍ଡର ନୈନିତାଲ ଯାଉଥିଲେ । ଏହି ସମୟରେ ରାସ୍ତାରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହା ଦେଖି ଶାମି ନିଜ କାର୍ ଅଟକାଇ ଦୁର୍ଘଟଣାଗ୍ରସ୍ତ କାରରୁ ଆହତଙ୍କୁ ବାହାରକୁ ଆଣି ହସ୍ପିଟାଲ ପଠାଇଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଭାଇରଲ ହେଉଥିବା ଭିଡିଓରେ ଶାମି ଆହତଙ୍କ ହାତରେ ପଟି ବାନ୍ଧୁଥିବାର ନଜର ଆସିଛନ୍ତି । ଏହାକୁ ନେଇ ଶାମି ଲେଖିଛନ୍ତି, ସେ ବହୁତ ଭାଗ୍ୟଶାଳୀ, ଭଗବାନ ତାଙ୍କୁ ନୂଆ ଜୀବନ ଦେଲେ । ତାଙ୍କ କାର ମୋ ସାମ୍ନାରେ ନୈନିତାଲ ପାହାଡ ରାସ୍ତାରୁ ତଳକୁ ପଡିଯାଇଥିଲା । ସେମାନଙ୍କୁ ଆମେ ସୁରକ୍ଷିତ ଉଦ୍ଧାର କରିଛୁ ।

ଏବେ ଏହି ଭିଡିଓ ଭାଇରଲ ହେବା ପରେ ଲୋକେ ଖୁବ୍‌ ପ୍ରଶଂସା କରୁଛନ୍ତି । ଶାମି ବିଶ୍ୱକପରେ ୨୦୨୩ରେ ଯାହା କମାଲ୍‌ କରିଥିଲେ, ପୁଣି ରିଅଲ ଲାଇଫରେ ହିରୋ ହୋଇଛନ୍ତି । ଦିନିକିଆ ବିଶ୍ୱକପ ଭାରତ ହାରିଯାଇଥିଲେ ମଧ୍ୟ ଶାମି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ବିଶ୍ୱକପର ୭ ମ୍ୟାଚ୍ରେ ୨୪ ୱିକେଟ ଦଖଲ କରି ସମସ୍ତଙ୍କୁ ନିଜ ଯାଦୁ ଦେଖାଇଛନ୍ତି । ତେବେ ବିଶ୍ୱକପ ପରାଜୟ ପରେ ପ୍ରଧାନମନ୍ତ୍ରୀ ମୋଦି ଡ୍ରେସିଂ ରୁମକୁ ଆସି ଭାରତୀୟ ଖେଳାଳିଙ୍କ ମନୋବଳ ବଢାଇଥିଲେ । ଏହି ସମୟରେ ଶାମିଙ୍କୁ କୁଣ୍ଢାଇ ଭଲ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ମଧ୍ୟ ଦେଇଥିଲେ ।

Leave A Reply

Your email address will not be published.