ଏସିଆନ ଗେମ୍ସ ମହିଳା ହକି ଟିମ୍ ସଦସ୍ୟା ଦୀପଗ୍ରେସ ଏକ୍କାଙ୍କ ପାଇଁ ୫୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏସିଆନ ଗେମ୍ସ ମହିଳା ହକି ଟିମ୍ ସଦସ୍ୟା ତଥା ଓଡ଼ିଶାର ଷ୍ଟାର ଖେଳାଳି ଦୀପଗ୍ରେସ ଏକ୍କାଙ୍କ ପାଇଁ ପୁରସ୍କାର ଘୋଷଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ଲକ୍ଷ ଟଙ୍କାର ପୁରସ୍କାର କଲେ ଘୋଷଣା । ଏସିଆନ ଗେମ୍ସରେ ଜାପାନକୁ ହରାଇ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଟିମର ସଦସ୍ୟା ଥିଲେ ଦୀପଗ୍ରେସ ।

ମୁଖ୍ୟମନ୍ତ୍ରୀ ଦୀପଗ୍ରେସଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ପ୍ରଶଂସା କରିଛନ୍ତି । ଏହାସହ ଦୀପଗ୍ରେସ ଯୁବପୀଢ଼ିଙ୍କୁ ପାଇଁ ରୋଲ ମଡେଲ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶ ପାଇଁ ଖେଳିବାକୁ ଚାହୁଁଥିବା ଯୁବ ଖେଳାଳିଙ୍କ ପାଇଁ ଦୀପଗ୍ରେସ ଆଶା ଓ ଗର୍ବର ପ୍ରତୀକ । ନିଜ ପ୍ରଦର୍ଶନ ଜରିଆରେ ଖେଳ ପ୍ରତି ଦୀପ ନିଜ ପ୍ରତିବଦ୍ଧତା ପ୍ରମାଣିତ କରିଛନ୍ତି । ମୋର ବିଶ୍ବାସ ଅଛି, ଆଗକୁ ବି ଦୀପ ଦେଶ ପାଇଁ ଗୌରବ ଆଣିବେ ଓ ନିଜ ଉଚ୍ଚକୋଟୀର ଖେଳ ଜାରି ରଖିବେ ।

ସୂଚନାଯୋଗ୍ୟ, ମହିଳା ହକି ଦଳ ବ୍ରୋଞ୍ଜ ପଦକ ଜିତିବା ପରେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ । ଏହାସହ ଟିମର ସମସ୍ତ ଖେଳାଳି ଓ ଷ୍ଟାଫ ମେମ୍ବରଙ୍କ ପାଇଁ ୩ ଲକ୍ଷ ଲେଖାଏଁର ପୁରସ୍କାର ରାଶି ଘୋଷଣା କରିଥିଲେ ।

ସେହିପରି ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ହକି ଦଳର ସଦସ୍ୟ ଓ ଷ୍ଟାଫଙ୍କ ପାଇଁ ୫ ଲକ୍ଷ ଲେଖାଏଁ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାସହ ଓଡ଼ିଶା ଖେଳାଳି ଅମିତ ରୋହିଦାସଙ୍କ ପାଇଁ ଦେଢ଼ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । କେବଳ ହକି ନୁହେଁ, ଜାଭଲିନରେ ରୌପ୍ୟ ପଦକ ଜିତିଥିବା ଓଡ଼ିଆ ପୁଅ କିଶୋର ଜେନାଙ୍କ ପାଇଁ ଦେଢ଼ କୋଟି ଟଙ୍କା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.