ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏମ୍ଏମ୍ ରାଜେନ୍ଦ୍ରନ୍

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଥିବା ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌ଏମ୍ ରାଜେନ୍ଦ୍ରନ୍ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ପୁସ୍ତକ ‘ସର୍ଭିସ୍ ଅନ୍‌ଇଣ୍ଟରପ୍ଟେଡ୍‌’ ଭେଟି ଦେଇଥିଲେ । ଏହି ଭେଟଘାଟକୁ ନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌କେରି ଲେଖିଛନ୍ତି, ‘ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମଏମ ରାଜେନ୍ଦ୍ରନ୍‌ଙ୍କୁ ସାକ୍ଷାତ କରି ବେଶ୍ ଖୁସିହେଲି । ତାଙ୍କଦ୍ୱାରା ଲିଖିତ ପୁସ୍ତକ ‘ସର୍ଭିସ୍ ଅନ୍‌ଇଣ୍ଟରପ୍ଟେଡ୍‌’ ଗ୍ରହଣ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ଏହି ପୁସ୍ତକଟି ତାଙ୍କର ଲମ୍ବା ପ୍ରଶାସନିକ କ୍ୟାରିୟରର ଉତ୍କର୍ଷତା ଏବଂ ସୁପର୍ ସାଇକ୍ଲୋନ୍ ପରେ ପରେ ଘଟଣାବହୁଳ ସମୟ ଭିତରେ ଓଡ଼ିଶାର ରାଜ୍ୟପାଳ ଭାବେ ସେ ତୁଲାଇଥିବା ଗୁରଦାୟିତ୍ୱ ଉପରେ ପର୍ଯ୍ୟବେଶିତ’ ।

ପ୍ରକାଶ ଯେ ୧୯୯୯ ମସିହାର ମହାବାତ୍ୟା ପରେ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ତତ୍କାଳୀନ ରାଷ୍ଟ୍ରପତି କେଆର୍ ନାରାୟଣନ୍ ଏମ୍‌ଏମ୍ ରାଜେନ୍ଦ୍ରନ୍‌ଙ୍କୁ ନିଯୁକ୍ତ କରିଥିଲେ । ସେ ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ । ୧୯୫୭ ବ୍ୟାଚ୍‌ରେ ସେ ଆଇଏଏସ୍ ଟପ୍ପର ହୋଇଥିଲେ । ତାମିଲନାଡ଼ୁର ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିବା ସହ କେନ୍ଦ୍ର ସରକାରରେ ବିଭିନ୍ନ ପଦବୀରେ ସେ କାର୍ଯ୍ୟ କରିଛନ୍ତି । ମହାବାତ୍ୟା ପରେ ଓଡ଼ିଶାର ରାଜ୍ୟପାଳ ଭାବେ ରାଜ୍ୟର ପୂନର୍ଗଠନ ଦିଗରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଏପରିକି ନବୀନ ପଟ୍ଟନାୟକ ଯେତେବେଳେ ପ୍ରଥମ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ, ତାଙ୍କୁ ଶ୍ରୀ ରାଜେନ୍ଦ୍ରନ୍ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

Leave A Reply

Your email address will not be published.