ବ୍ରଜରାଜନଗର ଉପ ନିର୍ବାଚନ: ପ୍ରସ୍ତୁତ ହେଲା ଯୁବ-ଛାତ୍ର ବିଜେଡି ରଣନୀତି

ଭୁବନେଶ୍ୱର : ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ବ୍ରଜରାଜନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ରଣନୀତି ପ୍ରସ୍ତୁତ ହୋଇଛି ।

ଯୁବ ବିଜେଡି କାର୍ଯ୍ୟାଳୟରେ ଭର୍ଚୁଆଲ ପ୍ଲାଟ୍‌ଫର୍ମରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଯୁବ-ଛାତ୍ର ବ୍ୟାପାର) ତଥା ବିଧାୟକ ପ୍ରଣବ ବଳବନ୍ତରାୟ ଅଧ୍ୟକ୍ଷତା କରି ବ୍ରଜରାଜନଗର ଉପନିର୍ବାଚନରେ ବିଜୁ ଯୁବ-ଛାତ୍ର ଜନତା ଦଳର ନିର୍ବାଚନୀ ରଣନୀତି ଏବଂ ପ୍ରତ୍ୟେକ କର୍ମକର୍ତ୍ତାମାନଙ୍କ ଦାୟିତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏଥିରେ ବିଜେଡି ପାର୍ଥୀନୀ ଅଳକା ମହାନ୍ତି ଯୋଗଦେଇ କହିଥିଲେ, ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସ୍ୱର୍ଗତ୍ କିଶୋର ମହାନ୍ତିଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ମୁଁ ଉପନିର୍ବାଚନର ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି । ବିଜୁ ଯୁବ-ଛାତ୍ର ଜନତା ଦଳର ପ୍ରତ୍ୟେକ କର୍ମକର୍ତ୍ତା ହେଉଛନ୍ତି ଏହି ଯୁଦ୍ଧର ସାରଥୀ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଯୁବ ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ ସମ୍ମାନିତ ଅତିଥି ରୂପେ ଯୋଗଦେଇ କହିଥିଲେ, ଯୁବ ଜନତା ଦଳର ପ୍ରତ୍ୟେକ କର୍ମକର୍ତ୍ତା ପୂର୍ବରୁ ସମସ୍ତ ନିର୍ବାଚନରେ ନିଜର ପରାକାଷ୍ଠା ପ୍ରତିପାଦନ କରିଛନ୍ତି ।

ବ୍ରଜରାଜନଗର ଉପନିର୍ବାଚନରେ ଦଳୀୟ ପାର୍ଥୀନୀଙ୍କୁ ବିପୁଳ ବ୍ୟବଧାନରେ ବିଜୟୀ କରି ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କୁ ଯୁବ ବିଜେଡି ପ୍ରକୃତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବ । ଛାତ୍ର ବିଜେଡି ରାଜ୍ୟ ସଭାପତି ତଥା ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କହିଥିଲେ, ବ୍ରଜରାଜନଗର ଉପନିର୍ବାଚନରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ପ୍ରତ୍ୟେକ କର୍ମକର୍ତ୍ତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ସପକ୍ଷରେ କିପରି ବିପୁଳ ଜନମତ ସାବ୍ୟସ୍ତ କରାଯିବ ଏବଂ ତତ୍‌ସହିତ ସମସ୍ତ ପ୍ରକାର ପ୍ରଚାର ପ୍ରସାରକୁ କିଭଳି ବ୍ୟାପକ କରାଯିବ ତାହାର ଗୁରୁଦାୟିତ୍ୱ ଆମ ସମସ୍ତଙ୍କ ଉପରେ ନ୍ୟସ୍ତ ରହିଛି । ଏହି ନିର୍ବାଚନୀ ପ୍ରସ୍ତୁତି ବୈଠକରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ, ଶୁଭେନ୍ଦୁ ମଙ୍ଗରାଜ, ଛାତ୍ର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅଭିନାଶ ଠାକୁର, ଝାରସୁଗୁଡ଼ା ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରଶାନ୍ତ ଜେନା, ଝାରସୁଗୁଡ଼ା ଜିଲ୍ଲା ଛାତ୍ର ସଭାପତି ପଲାଶ କର୍ମାକରଙ୍କ ସମେତ ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଯୁବ ଛାତ୍ର ନେତୃବୃନ୍ଦ ଯୋଗଦେଇ ନିଜର ମତାମତ ପ୍ରଦାନ କରିଥିଲେ । ଏନେଇ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ରଞ୍ଜନ ମିଶ୍ର ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।

Leave A Reply

Your email address will not be published.