ଡିମ୍ପଲଙ୍କ ଭାଇ ଓ ବାପାଙ୍କୁ ଉଠାଇ ନେଲା ପୋଲିସ

ବ୍ରହ୍ମପୁର,(ଏସ୍‌.ନ୍ୟୁଜ): ବିବାହ ପରେ ପ୍ରତାରଣା କରିଥିବା ଅଭିଯୋଗ କରି ବ୍ରହ୍ମପୁର ବ୍ରହ୍ମାନଗର ଅଂଚଳରେ ଧାରଣାରେ ବସିଛନ୍ତି ଛତ୍ରପୁର ଡିମ୍ପଲ ଦାସ । ତଥାକଥିତ ସ୍ୱାମୀ ଡାକ୍ତର ସୁମିତ ସାହୁଙ୍କ ବାରଣ୍ଡାରେ ଧାରଣା ଦେଇଛନ୍ତି । ଝିଅର ଧାରଣାକୁ ସମର୍ଥନ କରି ବାପା ଏବଂ ଡିମ୍ପଲଙ୍କ ଭାଇ ଧାରଣାସ୍ଥଳରେ ଉପସ୍ଥିତ ଥିଲେ । ଧାରଣାରୁ ଓହରିବା ପାଇଁ ଡିମ୍ପଲଙ୍କୁ ବୁଝାସୁଝା କରିବା ପାଇଁ ପୋଲିସ ଆସି ପହଂଚିଥିଲେ । ସେହି ସମୟରେ ସେଠାରେ ଉପସ୍ଥିତ ଡିମ୍ପଲଙ୍କ ଭାଇ ଓ ବାପା ପୋଲିସକୁ ଗାଳିଗୁଲଜ କରିଥିଲେ । ଫଳରେ ଘଟଣାସ୍ଥଳରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସକୁ ଅସଦ୍‌ ବ୍ୟବହାର ଅଭିଯୋଗରେ ଡିମ୍ପଲଙ୍କ ବାପା ଓ ଭାଇଙ୍କୁ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି ।

ଉଲ୍ଳେଖଯୋଗ୍ୟ ଯେ, ୭ ସେପ୍‌ଟେମ୍ବର ୨୦୨୦ରେ କୋର୍ଟରେ ବ୍ରହ୍ମପୁର ବ୍ରହ୍ମାନଗର ଅଞ୍ଚଳର ଡାକ୍ତର ସୁମିତ ସାହୁଙ୍କୁ ବିବାହ କରିଥିଲେ ଡିମ୍ପଲ । ୭ ମାସ ପତି-ପତ୍ନୀ ଭାବେ ଜୀବନ ବିତାଇବା ପରେ ଡିମ୍ପଲଙ୍କୁ ଛାଡି ନିଜ ବାପା ଓ ମା’ଙ୍କ ନିକଟକୁ ଫେରିଯାଇଥିଲେ ସୁମିତ । ବାରମ୍ବାର କହିବା ପରେ ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ସୁଦ୍ଧା କୌଣସି ବ୍ୟବସ୍ଥା କରିନଥିଲେ ସୁମିତଙ୍କ ପରିବାର ଲୋକେ । ଏପରିକି ବଧୂ ବେଶରେ ଆସିଥିବା ଡିମ୍ପଲଙ୍କୁ ଘର ଭିତରକୁ ଯିବାକୁ ଅନୁମତି ଦେଇ ନଥିଲେ । ତେଣୁ ସ୍ୱାମୀଙ୍କ ଘର ବାରଣ୍ଡାରେ ଧାରଣା ଦେଇଛନ୍ତି ଡିମ୍ପଲ । ତାଙ୍କ ସ୍ୱାମୀ ତାଙ୍କୁ ଘରକୁ ନ ଡାକିଲା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ ବୋଲି କହିଛନ୍ତି ।

Leave A Reply

Your email address will not be published.