ବରିଷ୍ଠ କ୍ୟାମେରାମ୍ୟାନ ସୁବୋଧ ପାଣିଗ୍ରାହୀଙ୍କ ପରଲୋକ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଆଉ ନାହାଁନ୍ତି ବରିଷ୍ଠ କ୍ୟାମେରାମ୍ୟାନ ସୁବୋଧ ପାଣିଗ୍ରାହୀ । ହୃଦଘାତରେ ତାଙ୍କର ମାତ୍ର ୫୩ବର୍ଷ ବୟସରେ ପରଲୋକ ଘଟିଛି । ଏହି ଘଟଣା ସମଗ୍ର ମିଡିଆ ଜଗତକୁ ଶୋକସନ୍ତପ୍ତ କରିଦେଇଛି । ଅତ୍ୟନ୍ତ ମେଳାପି ଏବଂ କର୍ତବ୍ୟନିଷ୍ଠ ସୁବୋଧ ମଙ୍ଗଳବାର ନିଜ ଡ୍ୟୁଟି ସାରି ଘରକୁ ଫେରିବା ପରେ ଏଭଳି ଅଘଟଣ ଘଟିଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସୁବୋଧଙ୍କ ଦେହାନ୍ତରେ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି ।

କଳିଙ୍ଗ ଷ୍ଟାଡିୟମ୍‌ ସମ୍ମୁଖରେ କାର୍ଯ୍ୟ କରିବା ସହ ହକି ବିଶ୍ୱକପ୍‌ କଭର କରିବା ପାଇଁ ପାସ୍‌ ନେଇଥିଲେ । କିନ୍ତୁ ଏଥର ହକି ଜୁନିୟର ବିଶ୍ୱକପରେ ତାଙ୍କୁ ଆଉ ଦେଖିବାକୁ ମିଳିବନି । କଳିଙ୍ଗ ଷ୍ଟାଡିୟମରେ ଯେତେ ଖେଳ ହୁଏ ସୁବୋଧ ସବୁବେଳେ କ୍ୟାମେରା ଧରି ତାଙ୍କ କର୍ତ୍ୟବ୍ୟ କରୁଥିବା ଦେଖିବାକୁ ମିଳୁଥିଲା ।

ସୋସିଆଲ ମିଡିଆ ଫେସବୁକରେ ସୁବୋଧ ପ୍ରତିଦିନ ଏକ ଫଟୋ ପୋଷ୍ଟ କରି ସହକର୍ମୀଙ୍କ ଗହଣରେ ଚର୍ଚ୍ଚାରେ ରହୁଥିଲେ । ହକି ଖେଳ କଭର କରିବାକୁ ସେ ଭଲ ପାଉଥିବାରୁ, ନିଜ ପ୍ରୋଫାଇଲ କଭର ଫଟୋରେ କଳିଙ୍ଗ ଷ୍ଟାଡିୟମର ହକି ଗ୍ରାଉଣ୍ଡ ଫଟୋ ରଖିଛନ୍ତି । ମୃତ୍ୟୁ ପୂର୍ବରୁ ସୁବୋଧଙ୍କ ଶେଷ ଫଟୋ ପୋଷ୍ଟରେ ସେ ଏକ କ୍ୟାପସନ୍‌ ମଧ୍ୟ ଦେଇଥିଲେ । ଯେଉଁଥିରେ ସେ ଲେଖିଛନ୍ତି ମୁଁ ମୋ ଶତ୍ରୁଙ୍କୁ ବି ଭଲ ପାଏ ।

Leave A Reply

Your email address will not be published.