କ୍ୟାବିନେଟ ବୈଠକ: ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀସ୍ତରୀୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋଟ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥରେ ରହିଛି ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା ଇଲେକ୍‌ଟ୍ରୋନିକ୍ସ ପଲିସି ୨୦୨୧ ବିଲ । ଯାହାକୁ ଆଜି ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି । ଯାହା ଅନ୍ୟ ରାଜ୍ୟମାନଙ୍କରେ ଥିବା ପଲିସିଗୁଡ଼ିକ ଅପେକ୍ଷା ଢେର ଭଲ । ଯାହା ଦ୍ୱାରା ଶିଳ୍ପୋଦ୍ୟୋଗୀମାନେ ଶିଳ୍ପ ପ୍ରତିଷ୍ଠା ନେଇ ଆକୃଷ୍ଟ ହେବେ । ଏହାଦ୍ୱାରା ଓଡ଼ିଶା ୨୦୨୬ ସୁଦ୍ଧା ଇଲେକ୍‌ଟ୍ରୋନିକ୍ସ ଶିଳ୍ପରେ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇପାରିବ । ସେହିପରି ଲୋୟର ସୁକତେଲ ନଦୀରେ ଉପରେ ବ୍ୟାରେଜ ନିର୍ମାଣକୁ ମଞ୍ଜୁରୀ । ଅଢେଇ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ପୂରଣ କରାଯିବ ଲକ୍ଷ୍ୟ ରଖାଯାଇଛି ।

ସେହିଭଳି ପାର୍ବତୀଗିରି ମେଗା ଉଠାଜଳସେଚନା ଯୋଜନା ଅନୁଯାୟୀ ଆସନ୍ତା୫ବର୍ଷ ପାଇଁ ୧୦ ୭୫୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଞ୍ଜୁର ହୋଇଛି । ଏହାଦ୍ୱାରା ରାଜ୍ୟର ଅଣ ଜଳସେଚିତ ପ୍ରାୟ ୨ଲକ୍ଷ ୬୩ ହଜାର ୮ଶହ ହେକ୍ଟର ଜମିକୁ ଜଳ ଯୋଗାଇ ଦିଆଯାଇପାରିବ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅନୁଯାୟୀ କୃଷି ଶିଳ୍ପ ପାଇଁ ଆସନ୍ତା ୫ବର୍ଷ ପାଇଁ ୪୮୪ କୋଟି ଟଙ୍କା ବଜେଟ ରଖିବାକୁ କ୍ୟାବିନେଟ ମଂଜୁରୀ ମିଳିଛି । ଏହାଦ୍ୱାରା ବିଶେଷକରି ଗ୍ରମାଂଚରେ ଏଗ୍ରୋ ପ୍ରେସେସିଂ ୟୁନିଟ ପ୍ରତିଷ୍ଠା ହୋଇପାରିବ ।

ସେହିପରି ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲଗୁଡିକର ଦଖଲରେ ଥିବା ଗ୍ରାମାଂଚଳରେ ୫ଏକର ଓ ସହରାଂଚଳରେ ୩ଏକର ଜମିକୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ମାର୍ଫତରେ ରହିବା ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନାଁରେ ରେକର୍ଡ କରାଯିବ । ରେକର୍ଡ ହେବାକୁ ଥିବା ଜମି ଲିଜ୍‌ ଯୋଗ୍ୟ, ଅଣଜଙ୍ଗଲ କିସମ, ଡିଏଲସି ଲିଷ୍ଟରେ ନଥାଇ ଅବରୋଧମୁକ୍ତ ଓ ବିବାଦମୁକ୍ତ ହୋଇଥିବା ଆବଶ୍ୟକ । ଏହି ଜମିକୁ ବିନାମୂଲ୍ୟରେ ଜିଲ୍ଲାପାଳଙ୍କ ଅନୁମୋଦନରେ ତହସିଲଦାର ରେକର୍ଡ କରିବେ । ଏଥିପାଇଁ ଓଡିଶା ସରକାରୀ ଜମି ବନ୍ଦୋବସ୍ତ ଆଇନର ଆବଶ୍ୟକୀୟ ସଂଶୋଧନ ରାଜସ୍ୱ ବିଭାଗ ଦ୍ୱାରା କରାଯିବ । ସେହିପରି ଏସବୁ ଜମି ଉପରେ ହୋଇଥିବା ସମସ୍ତ ଜବରଦଖଲ ମାମଲା ମଧ୍ୟ ବନ୍ଦ କରାଯିବ । ଏହାର ମୂଲ୍ୟାୟନ ପାଇଁ ଟୋକନ ପରିମାଣ ପ୍ରତିବର୍ଷ ଏକ ପିଛା ଏକ ଟଙ୍କା ହସିବାରେ ଓ ଜୋରିମାନା ଏକର ପିଛା ୧୦ଟଙ୍କା ଆଦାୟ କରାଯିବ । ବକେୟା ରାଶି ଉପରେ ଯଦି କୌଣସି ସୁଧ ଥାଏ ତାକୁ ଛାଡ କରାଯିବ ।

ଅନ୍ୟପକ୍ଷରେ ଲିଙ୍ଗରାଜ ମନ୍ଦିର ଓ ଏହାର ସମ୍ପତି ଓ ପରିସର ମଧ୍ୟରେ ଓ ବାହାରେ ଥିବା ଅନ୍ୟ ମନ୍ଦିର, ପବିତ୍ର ସ୍ଥାନ ଓ ମଠର ପରିଚାଳନାକୁ ଦୃଷ୍ଟିରେ ରଖି ଏହାର ପରିଚାଳନା ଦାୟିତ୍ୱ ଏକ କମିଟିକୁ ଦେବା ପାଇଁ ଏକ ଅଧ୍ୟାଦେଶକୁ କ୍ୟାବିନେଟ୍‌ ଅନୁମୋଦନ କରିଛି । ଏହାଦ୍ୱାରା ମନ୍ଦିର କାର୍ଯ୍ୟର ଉତମ ଓ ସଠିକ୍‌ ପରିଚାଳନା ହେବା ସହ ତୀର୍ଥଯାତ୍ରୀ, ଭକ୍ତ ଓ ଉପାସକମାନଙ୍କୁ ଉନ୍ନତ ସୁବିଧା ଯୋଗାଇ ଦିଆଯିବ । ଏହା ମନ୍ଦିରର ସମ୍ପତି ସୁରକ୍ଷିତ ରଖିବା ପାଇଁ କମିଟି ସଶକ୍ତ କରିବ । ଏହାସହ ଲିଙ୍ଗରାଜ ମନ୍ଦିରର ଉନ୍ନତି ପାଇଁ ସରକାର ଅନେକ ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ମନସ୍ଥ କରିଛନ୍ତି । ଯାହାକୁ ଅଗ୍ରାଧିକାର ଭତିରେ କରାଯିବ ।

Leave A Reply

Your email address will not be published.