ଏଣିକି ଛାତ୍ରଛାତ୍ରୀଙ୍କୁ ମିଳିବ ଇ-ମାର୍କସିଟ୍

ରାଜ୍ୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସିବିଏସ୍‌ଇ ଢ଼ାଞ୍ଚାକୁ ଅନୁକରଣ କରିଥିବା ବେଳେ ଡିଜିଟାଲ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଛି । ପରୀକ୍ଷା ପରିଚାଳନା ଏବଂ ଫଳ ପ୍ରକାଶରେ ଡିଜିଟାଇଲେଜେସନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ସିବିଏସ୍‌ଇ ଯେପରି ପେପର ଲେସ୍ ବ୍ୟବସ୍ଥା ପ୍ରଚଳନ କରି ପାସ୍ ଛାତ୍ରଛାତ୍ରୀଙ୍କୁ ଇ-ମାର୍କସିଟ୍ ପ୍ରଦାନ କରୁଛି ସେହି ବ୍ୟବସ୍ଥା ଲାଗୁ କରିବାକୁ ଗଣଶିକ୍ଷା ବିଭାଗ ବ୍ଲୁ-ପ୍ରିଣ୍ଟସ ପ୍ରସ୍ତୁତ କରିଛି ।ଏହି ବ୍ୟବସ୍ଥା ଆସନ୍ତା ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରାଯିବ ।

ନିଷ୍ପତି ଅନୁଯାୟୀ, ଏଣିକି ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଆଉ ହାତଲେଖା ମାର୍କ ସିଟ୍ ମିଳିବ ନାହିଁ । ପ୍ରତି ବଦଳରେ ଛାତ୍ରଛାତ୍ରୀଙ୍କୁ ଇ-ମାର୍କସିଟ୍ ପ୍ରଦାନ କରାଯିବ । ଏହାଦ୍ୱାରା ବିଭାଗ ଅତି କମ୍‌ରେ ବର୍ଷକୁ ଏକ କୋଟି ୬୬ଲକ୍ଷ ଟଙ୍କା ସଂଞ୍ଚୟ କରିବା ସହ ମାର୍କସିଟ୍ ବ୍ୟବସ୍ଥାକୁ ମଧ୍ୟ ସଠିକ ଢ଼ଙ୍ଗରେ ପରିଚାଳିତ କରିପାରିବ ବୋଲି ଆଶା ରଖିଛି । ଯଦି ଏହି ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହୁଏ ତେବେ ବୋର୍ଡ ପରୀକ୍ଷାକୁ ବାଦଦେଲେ ବିଭାଗ ପକ୍ଷରୁ ପରିଚାଳିତ ସମସ୍ତ ପରୀକ୍ଷାରେ କୃତୀ ପିଲାଙ୍କୁ ଇ-ମାର୍କସିଟ୍ ପ୍ରଦାନ କରାଯିବ ।

ମିଳିଥିବା ସୂଚନା ଅନୁସାରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନରେ ବିକାଶ ଏବଂ ଉନ୍ନତ ଭିତ୍ତିଭୂମି ଲାଗି ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ପ୍ରଥମଥର ଲାଗି ପୁଣି ଏକ ଅଭିନବ ପ୍ରୟାସ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ପରୀକ୍ଷାର ମାର୍କସିଟ୍ ପୂର୍ବଭଳି ପ୍ରୋଗ୍ରେସ ରିପୋର୍ଟ ମାଧ୍ୟମରେ ନଦେଇ ଇ-ମାର୍କସିଟ୍ ମାଧ୍ୟମରେ ଦେବାକୁ ଯୋଜନା କରାଯାଇଛି । ପୂର୍ବରୁ ଏହି ବ୍ୟବସ୍ଥା ଉଚ୍ଚଶିକ୍ଷା କ୍ଷେତ୍ରରେ ଲାଗୁ ହୋଇଥିବା ବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯଦି ଏହି ବ୍ୟବସ୍ଥା ଲାଗୁ କରାଯାଏ ତେବେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ହେବ । ରାଜ୍ୟରେ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ପିଲାଙ୍କ ସଂଖ୍ୟା ୧୬ଲକ୍ଷ ୬୦ହଜାର । ପ୍ରତିବର୍ଷ ବାର୍ଷିକ ପରୀକ୍ଷା ରେଜଲ୍ଟ ବା ମାର୍କସିଟ୍ ପ୍ରସ୍ତୁତି ଲାଗି ପ୍ରତି ମାର୍କସିଟ୍ ପିଛା ଖର୍ଚ୍ଚ ହେଉଛି ୧୦ଟଙ୍କା । ଏହି ହିସାବରେ ରାଜ୍ୟରେ ସରକାରୀ ସ୍କୁଲଗୁଡିକରେ ଷଷ୍ଠରୁ ନବମ ଶ୍ରେଣୀ ପିଲାଙ୍କ ଲାଗି କେବଳ କାଗଜରେ ପ୍ରିଣ୍ଟିଂ ହୋଇଥିବା ମାର୍କସିଟ୍ ପ୍ରସ୍ତୁତି ଲାଗି ମୋଟ ୧କୋଟି ୬୬ଲକ୍ଷ ଟଙ୍କା ବ୍ୟୟ ହେଉଛି । ଯଦି ଇ-ମାର୍କସିଟ୍ ବ୍ୟବସ୍ଥା କରାଯାଏ ତେବେ ତେବେ ଏହି ଟଙ୍କା ବିଭାଗର ବଞ୍ଚିବ ।

ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଇ-ମାର୍କସିଟ୍ ବ୍ୟବସ୍ଥା ଲାଗୁ କରିବା ଲାଗି ପ୍ରାଥମିକ ସ୍ତରରେ ନିଷ୍ପତ୍ତି ହୋଇଛି । ପିଲାଙ୍କର ଦକ୍ଷତା ଯାଞ୍ଚ ଲାଗି ପିଲାଙ୍କ ମାର୍କସିଟ୍‌ର କପି ବିଭାଗ ପାଖରେ ଦାଖଲ କରାଯିବା ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଛି । ତେବେ ଯେଉଁ ନିଷ୍ପତ୍ତି ହୋଇଛି ସେଥିରେ ଜଣାପଡ଼ିଛି ଯେ, ବିଭାଗର ୟୁଡାଇସ୍‌ରେ ମାର୍କସିଟ୍ ଲାଗି ବ୍ୟବସ୍ଥା କରାଯିବ । ନଚେତ ଏକ ଆଇଟି କମ୍ପାନିକୁ ଦାୟିତ୍ୱ ଦିଆଯିବ । ଯେଉଁଥିରେ ରାଜ୍ୟର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କର ମାର୍କ ଦାଖଲ କରାଯିବ । ଏକ ନିର୍ଦ୍ଦିଷ୍ଠ ଫର୍ମାଟ ପ୍ରସ୍ତୁତ କରାଯିବ । ଯେଉଁଥିରେ ବ୍ଲକ ଏବଂ ସ୍କୁଲୱାରୀ ପିଲାଙ୍କର ମାର୍କ ରଖାଯିବ । ବିଭାଗ ପକ୍ଷରୁ ଏକ କୋଡ ନମ୍ବର ମିଳିବ । ସେହି କୋଡ ନମ୍ବରରେ ସ୍କୁଲ ନାମ ଏବଂ ପିଲାଙ୍କ ରୋଲ ନମ୍ବର ଏବଂ ଜନ୍ମ ତାରିଖ ଦେଲେ ଇ-ମାର୍କସିଟ୍ ଦେଖି ହେବ । ଆବଶ୍ୟକସ୍ଥଳେ ପିଲାମାନେ ମଧ୍ୟ ସେହି ମାର୍କସିଟ୍‌କୁ ଡାଉନ୍‌ଲୋଡ କରିପାରିବେ । ତେବେ ସେହି ବ୍ୟବସ୍ଥାରେ ପ୍ରତି ପିଲାଙ୍କର ମାର୍କସିଟ୍ ସର୍ବାଧିକ ୫ବର୍ଷ ପର୍ଯ୍ୟନ୍ତ ୱେବସାଇଟ୍‌ରେ ରହିବ । ପରେ ପ୍ରର୍ଯ୍ୟାୟକ୍ରମେ ଅଟୋଡିଲେଟ୍ ବ୍ୟବସ୍ଥାରେ ସେସବୁ ଡିଲିଟ୍ ହୋଇଯିବ । ସେହିପରି ପ୍ରତିବର୍ଷ ପିଲାଙ୍କ ମାର୍କସିଟ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍କୁଲ କର୍ତ୍ତୃପକ୍ଷ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯିବ । ସେହିପରି ଏକାଦଶ ବା +୨ ପ୍ରଥମ ବର୍ଷର ପରୀକ୍ଷା ରେଜଲ୍ଟ ମଧ୍ୟ ଇ-ମାର୍କସିଟ୍ ମାଧ୍‌ୟମରେ ପ୍ରଦାନ କରାଯିବ ।

Leave A Reply

Your email address will not be published.