ସାଧାରଣ ନିର୍ବାଚନ ପାଇଁ ବାଜିଲା ବିଗୁଲ, ଏହି ତାରିଖରେ ହେବ ଓଡ଼ିଶାରେ ମତଦାନ

ଅପେକ୍ଷାର ଅନ୍ତ ଘଟିଲା। ଘୋଷଣା ହେଲା ୨୦୨୪ ସାଧାରଣ ନିର୍ବାଚନ ତାରିଖ। ଦିଲ୍ଲୀର ବିଜ୍ଞାନ ଭବନରେ ପ୍ରେସମିଟ୍‌ ଜରିଆରେ ନିର୍ବାଚନ କମିଶନଙ୍କ ଏନେଇ ଘୋଷଣା କରିଛନ୍ତି। ଓଡ଼ିଶା ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି CEC। ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ। ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍‌ ୧ରେ ହେବ ଭୋଟ ଗ୍ରହଣ।

ମେ’ ୧୩ରେ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏହା ବ୍ୟତୀତ ମେ’ ୨୦ରେ ୩୫ଟି ବିଧାନସଭା ଆସନ, ମେ’ ୨୫ରେ ୪୨ଟି ବିଧାନସଭା ଆସନ ଓ ଜୁନ୍‌ ୧ରେ ୪୨ଟି ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ହେବ।

୨୦୨୪ର ସାଧାରଣ ନିର୍ବାଚନ ଲାଗି ଆଜି ବିଗୁଲ ବଜାଇଲେ ନିର୍ବାଚନ କମିଶନ। ଭୋଟ୍‌ ଗ୍ରହଣ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ। ମୋଟ ୭ଟି ପର୍ଯ୍ୟାୟରେ ସାରା ଦେଶରେ ହେବ ଭୋଟ ଗ୍ରହଣ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ୨ୟ ପର୍ଯ୍ୟାୟ- ଏପ୍ରିଲ ୨୬, ୩ୟ ପର୍ଯ୍ୟାୟ- ମେ’ ୭, ଚତୁର୍ଥ ପର୍ଯ୍ୟାୟ- ମେ’ ୧୩, ୫ମ ପର୍ଯ୍ୟାୟ- ମେ’ ୨୦, ଷଷ୍ଠ ପର୍ଯ୍ୟାୟ- ମେ’ ୨୫, ସପ୍ତମ ପର୍ଯ୍ୟାୟ- ଜୁନ୍‌ ୧ରେ ହେବ। ଜୁନ୍‌ ୪ ମଙ୍ଗଳବାର ଦିନ ସାରା ଦେଶରେ ଲୋକସଭା ଓ ବିଧାନସଭା ଭୋଟ ଗଣତି ହେବ।

ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସୂଚନା ଦେଲେ ସିଇସି ରାଜୀବ କୁମାର। ସେ କହିଛନ୍ତି, ଦେଶରେ ମୋଟ ୯୭ କୋଟି ପଂଜୀକୃତ ଭୋଟର ରହିଛନ୍ତି। ୯୭ କୋଟି ଭୋଟରଙ୍କ ପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ୍‌ ରହିବ। ଭୋଟ ଗ୍ରହଣ ପାଇଁ ଦେଢ଼ କୋଟି ପୋଲିଂ ଅଫିସର ପ୍ରସ୍ତୁତ ରହିବେ। ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତ ରହିଛି ୫୫ ଲକ୍ଷ ଇଭିଏମ୍‌। ପ୍ରଥମ ଥର ପାଇଁ ଭୋଟ ଦେବେ ୧ କୋଟି ୮୨ ଲକ୍ଷ ନୂଆ ଭୋଟର। ୧୮ରୁ ୨୯ ବର୍ଷ ବର୍ଗର ଭୋଟର ସଂଖ୍ୟା ୨୧ କୋଟି। ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୮୨ ଲକ୍ଷ। ୧୦୦ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୨ ଲକ୍ଷ ୧୮ ହଜାର ରହିଛି। ଦେଶରେ ୪୯.୭ କୋଟି ପୁରୁଷ ଓ ୪୭.୧ କୋଟି ମହିଳା ଭୋଟର ରହିଛନ୍ତି।

ଏହାଛଡ଼ା ସେ କହିଛନ୍ତି, ୮୫ ବର୍ଷରୁ ଅଧିକ ବୟସ ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯିବ। ଘରେ ରହି ଭୋଟ୍ ଦେଇପାରିବେ ବୟସ୍କ ଭୋଟର। ଘରେ ଫର୍ମ ପହଞ୍ଚାଇ ଦିଆଯିବ, ପରେ ସଂଗ୍ରହ କରାଯିବ। ଅପରାଧିକ ମାମଲା ଥିଲେ ପ୍ରାର୍ଥୀ ବିଜ୍ଞାପନ ଜରିଆରେ ଜଣାଇବେ। ଖବର କାଗଜ, ଟିଭିରେ ୩ ଥର ନିଜ ଅପରାଧ ବିବରଣୀ ଦେବେ। ରାଜନୈତିକ ଦଳ ବି ଏନେଇ ବିସ୍ତୃତ ସୂଚନା ପ୍ରଦାନ କରିବେ। କାହିଁକି ଏଭଳି ପ୍ରାର୍ଥୀଙ୍କୁ ଟିକେଟ ଦେଲେ, କାରଣ ଦର୍ଶାଇବେ।

୨୦୨୪ ନିର୍ବାଚନ କେତେ ପର୍ଯ୍ୟାୟରେ ହେବ ? କେଉଁ ରାଜ୍ୟରେ କେବେ ହେବ ? କେବେ ପଡ଼ିବ ଭୋଟ୍ ଓ କେବେ ହେବ ଗଣତି? ଏସବୁ ଉପରେ ବିସ୍ତୃତ ସୂଚନା ଦେଇଛନ୍ତି ନିର୍ବାଚନ କମିଶନ। ଚଳିତ ଅର୍ଥାତ ସପ୍ତଦଶ ୧୭ ଲୋକସଭାର କାର୍ଯ୍ୟକାଳ ଆସନ୍ତା ଜୁନ୍ ୧୬ ତାରିଖରେ ଶେଷ ହେଉଛି। ତେଣୁ ତା ପୂର୍ବରୁ ନୂଆ ଲୋକସଭା ସହ ସରକାର ଗଠନ ହେବ।

Leave A Reply

Your email address will not be published.