ଓଲିଉଡ଼ ବିବାଦର ହେବ ସମାଧାନ; ବ୍ୟାନ ହଟାଇବାକୁ ରାଜି ହେଲେ ପ୍ରଯୋଜକ ସଂଘ

ଛିଣ୍ଡିବ କଳାକାର କଳି । ଓଲିଉଡ଼ ବିବାଦର ସମାଧାନ ହେବ । ଓଡ଼ିଶା ଚଳଚ୍ଚିତ୍ର ନିଗମ ବୈଠକ ଶେଷ ହେବା ପରେ ଏମିତି ସୂଚନା ଦେଇଛନ୍ତି ଅଧ୍ୟକ୍ଷ କୁନା ତ୍ରିପାଠୀ । ପ୍ରଯୋଜକ ଟୁଟୁ ନାୟକ ମନୋଜ ମିଶ୍ରଙ୍କ ଉପରେ ଲାଗିଥିବା ବ୍ୟାନକୁ ହଟାଇବେ ବୋଲି ବୈଠକରେ ରାଜି ହୋଇଛନ୍ତି । ହେଲେ ବୈଠକକୁ ମନୋଜ ମିଶ୍ର ଆସି ନ ଥିବାରୁ ଏହାର ସମାଧାନ ନିଷ୍କର୍ସ ବାହାରି ପାରିନି । ତେଣୁ ଏହି ବିବାଦର ସମାଧାନ କେତେଦୂର ହୋଇପାରିବ ସେ ନେଇ ସଂଶୟ ଦେଖା ଦେଇଛି ।

ଆଜି ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ବୈଠକ ଶେଷରେ ଅଧ୍ୟକ୍ଷ କୁନା ତ୍ରିପାଠୀ ସୂଚନା ଦେଇ କହିଛନ୍ତି, ପ୍ରଯୋଜକ ଟୁଟୁ ନାୟକ ମନୋଜ ମିଶ୍ରଙ୍କ ଉପରେ ଲାଗିଥିବା ବ୍ୟାନ ଉଠାଇ ଦେବେ ବୋଲି କହିଛନ୍ତି । ତେଣୁ ଏହି ବିବାଦ ଏକ ପ୍ରକାର ଶେଷ ହୋଇ ଯାଇଛି ।

ତେବେ ଆଜିର ବୈଠକରେ ଅଭିନେତା ଅରିନ୍ଦମ, ଶ୍ରୀତମ, ଟୁଟୁ ନାୟକ ପ୍ରମୁଖ ଯୋଗ ଦେଇଥିଲେ । କିନ୍ତୁ ଡକାଯିବା ସତ୍ତ୍ୱେ ମନୋଜ ମିଶ୍ର ଆସି ନ ଥିଲେ । ତେଣୁ ଏହାକୁ ନେଇ କଳାକାରଙ୍କ ଦ୍ୱନ୍ଦ୍ୱ ଆହୁରି ବଢି ଯାଇଛି ।

ବୈଠକ ପରେ ଅଭିନେତା ଅରିନ୍ଦମ ମତାମତ ରଖି କହିଛନ୍ତି, ଆଜି ସମସ୍ତେ ଏଠାକୁ ଆସି ବ୍ୟାନ୍ ଉଠାଇବାକୁ ବି ରାଜି ହେଲୁ କିନ୍ତୁ ମନୋଜ ଏଠାକୁ ଆସିଲେ ନାହିଁ । ସେହିପରି ରାଜ୍ୟ ସିନେ କଳାକାର ସଂଘ ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି, ପ୍ରଯୋଜକ ସଂଘ ପକ୍ଷରୁ ଏଠାରେ ଉପସ୍ଥିତ ଥିବା ସଦସ୍ୟ ରାଜି ହୋଇଛନ୍ତି ବ୍ୟାନ୍ ହଟାଇବା ପାଇଁ ।

ସୂଚନା ଥାଉ କି, ସମ୍ବଲପୁରରେ ଅରିନ୍ଦମ ଓ ଅନୁଭବଙ୍କ ଅଭିନୀତ ଫିଲ୍ମ ‘ରାମ’କୁ ବିରୋଧ କରାଯାଇଥିଲା । ଏହା ପଛରେ ଅଭିନେତା ମନୋଜ ମିଶ୍ରଙ୍କ ହାତ ଥିବା ନେଇ ସଞ୍ଜୟ ନାୟକ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ପ୍ରୟୋଜକ ଗୋଷ୍ଠୀ ତାଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଥିଲେ । ଏହାପରେ ମନୋଜ ମିଶ୍ରଙ୍କ ମାଇଣ୍ଡ ଗେମ ଫିଲ୍ମକୁ ପଶ୍ଚିମ ଓଡ଼ିଶା ବ୍ୟତୀତ ଅନ୍ୟଆଡେ ବ୍ୟାନ କରାଯାଇଥିଲା । ଏହାପରେ ଉଲିଉଡ କଳାକାର କଳି ଦାଣ୍ଡରେ ପଡି ହାଟରେ ଗଡିିଥିଲା ।

Leave A Reply

Your email address will not be published.