ଲେମ୍ବୁ ପରେ ଟମାଟୋ ୧୦୦ ପାର୍

ଭୁବନେଶ୍ବର : ରାଜ୍ୟ ବାହାରୁ ଆସୁଛି ରାଜଧାନୀ ବଜାରର ସବୁ ପରିବା। ପରନିର୍ଭରଶୀଳତା ଯୋଗୁଁ ପ୍ରଥମେ ଲେମ୍ବୁ ଏବଂ ବର୍ତ୍ତମାନ ଟମାଟୋ ଦର ୧୦୦ ଟଙ୍କା ପାର୍‌ କରିଛି। ଅନ୍ୟ ପରିବା ଦର ମଧ୍ୟ ବାକି ସମୟ ଅପେକ୍ଷା ବୃଦ୍ଧି ପାଇଛି। ପରନିର୍ଭରଶୀଳତା ଯୋଗୁଁ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିର ସିଧାସଳଖ ପ୍ରଭାବ ପରିବା ଉପରେ ପଡ଼ୁଛି। ଯେଉଁ ପରିବା ଯେତେ ଦୂରରୁ ଆସୁଛି, ତା’ର ଦର ସେତେ ଅଧିକ ରହୁଛି। ଦ୍ବିତୀୟତଃ ପରିବା ଦର ନିର୍ଧାରଣ ବ୍ୟବସାୟୀଙ୍କ ନିୟନ୍ତ୍ରଣକୁ ଚାଲିଯାଉଛି।

ପରିବାଗୁଡ଼ିକ ମଧ୍ୟରୁ ଟମାଟୋ ଭଳି ଅନେକ ପରିବା ବର୍ଷ ତମାମ୍‌ ଚାଷ ହୋଇ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରେ। ଚାଷୀ ମଧ୍ୟ ଏଥିପାଇଁ ଆଗ୍ରହ କରନ୍ତି। କିନ୍ତୁ ପ୍ରାପ୍ୟ ନମିଳିବା ଭୟ ଯୋଗୁଁ ସେମାନେ ଧାନକୁ ଗୁରୁତ୍ବ ଦିଅନ୍ତି। ପ୍ରାକୃତିକ ଦୁର୍ବିପାକରେ ପରିବା ଫସଲ ବେଶି କ୍ଷତିଗ୍ରସ୍ତ ହୁଏ। କିନ୍ତୁ କ୍ଷତିପୂରଣ ଚାଷୀଙ୍କୁ ମିଳେନାହିଁ। ଗାଁ ଦାଣ୍ଡରେ ଦର ୨ ଟଙ୍କାରୁ ୫ ଟଙ୍କା ମଧ୍ୟରେ ଥାଏ। ବିଭିନ୍ନ ସମୟରେ ରାସ୍ତାରେ ଟମାଟୋ, ଭେଣ୍ଡି ଫିଙ୍ଗି ଦିଆଯାଉଥିବା ଦେଖିବାକୁ ମିଳେ। କୃଷି ବିଭାଗ ଅନୁସାରେ, ରାଜ୍ୟରେ ଚାଷୀମାନେ ଧାନ ଚାଷକୁ ଗୁରୁତ୍ବ ଦେଇ କେବଳ ଗୋଟିଏ ସମୟରେ ହିଁ ପରିବା ଚାଷ କରୁଥିବାରୁ ପ୍ରତିବର୍ଷ ଖରା ଦିନରେ ପରିବା ଦର ବୃଦ୍ଧି ପାଏ। ଚାଷୀଙ୍କ ଅନୁସାରେ, ସେମାନେ ପରିବା ପାଇଁ ଯେଉଁଭଳି ଖର୍ଚ କରନ୍ତି, ସେହି ଅନୁଯାୟୀ ମାର୍କେଟିଂ ହୋଇପାରେ ନାହିଁ ଏବଂ ଅନେକ ବର୍ଷ କ୍ଷତି ମଧ୍ୟ ସହିବାକୁ ପଡ଼େ। ବର୍ଷ ତମାମ ପରିବା ଚାଷ ସେମାନଙ୍କ ପାଇଁ କ୍ଷତିଜନକ ବୋଲି କୁହାଯାଏ। ଯେଉଁ ଜିଲ୍ଲାରେ ଯେଉଁ ପରିବା ଉତ୍ପାଦିତ ହେଉଛି, ତା’ର ପ୍ରୋତ୍ସାହନ ପାଇଁ ପ୍ରୋସେସିଂ ୟୁନିଟ୍‌ କରାଗଲେ, ଚାଷୀ ଲାଭ ପାଆନ୍ତେ ଏବଂ ଅଧିକ ଉତ୍ପାଦନ ପାଇଁ ପ୍ରୋତ୍ସାହିତ ହୁଅନ୍ତେ ବୋଲି ଚାଷୀମାନେ ମତ ଦିଅନ୍ତି।

Leave A Reply

Your email address will not be published.