ସୁପର ଟାଇଫୋନ ରୟର ତାଣ୍ଡବ: ଫିଲିପାଇନ୍ସରେ ୮୦ରୁ ଅଧିକ ମୃତ

ମନିଲା: ଫିଲିପାଇନ୍ସରେ ସୁପର ଟାଇଫୋନ ରୟର ତାଣ୍ଡବ । ବାତ୍ୟା ରୟ ଆସିବା ଫଳରେ ଫିଲିପାଇନ୍ସରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ବାତ୍ୟା ଫଳରେ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ସେହିଭଳି ଅନେକ ଲୋକ ଏବେବି ନିଖୋଜ ଥିବାବେଳେ ସେମାନଙ୍କ ପତ୍ତା ମିଳିପାରୁନି । ହଜାର ହଜାର ଲୋକ ବେଘର ହୋଇଯାଇଛନ୍ତି । ବାତ୍ୟା ରୟର ପ୍ରକୋପ ଏତେ ଥିଲା ଯେ ଅନେକ ଘରର ଛପର ଉଡି ଯାଇଥିବାବେଳେ ଶହ ଶହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିଲା । ଯାହାଫଳରେ ଅନେକ ଅଞ୍ଚଳରେ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି ।

ବାତ୍ୟା ରୟ ଆସିବା ପୂର୍ବରୁ ତିନି ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସ୍କୁଲ, କଲେଜ ବନ୍ଦ ରହିଥିବାବେଳେ ବ୍ୟାଙ୍କ ସେବା ମଧ୍ୟ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଏଭଳି କି ଅନେକ ସ୍ଥାନରେ ହସ୍ପିଟାଲ ମଧ୍ୟ ବନ୍ଦ କରାଯାଇଛି । ଉଦ୍ଧାର କାର୍ଯ୍ୟରେ ପ୍ରଶାସନ ସହ ପୋଲିସ ଓ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି । ଏହି ବାତ୍ୟାରେ ୭ ଲକ୍ଷ ୮୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଘଣ୍ଟା ପ୍ରତି ପ୍ରାୟ ୨୭୦ କିଲୋମିଟର ପବନ ବୋହିବା ସହ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା । ଫିଲିପାଇନ୍ସର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରିଥିଲା ବାତ୍ୟା ରାୟ । ଲୋକଙ୍କ ପାଖରେ କିଭଳି ଜରୁରୀକାଳୀନ ସେବା ପହଞ୍ଚି ପାରିବ ତାହା ଉପରେ ସରକାର ଧ୍ୟାନ ଦେଇଛନ୍ତି ।

Leave A Reply

Your email address will not be published.