ଜର୍ମାନ୍ ଓପନ୍: କ୍ୱାର୍ଟର୍ରେ ଶ୍ରୀକାନ୍ତ

ନୂଆଦିଲ୍ଲୀ : ଜର୍ମାନୀର ମୁଲହିମ୍ ଆନ୍ ଡର୍ ରୁର୍‌ଠାରେ ଚାଲିଥିବା ଜର୍ମାନ୍ ଓପନ୍ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ରେ ପୁରୁଷ ସିଙ୍ଗଲ୍ସ ଖେଳାଳି କିଦାମ୍ବୀ ଶ୍ରୀକାନ୍ତ ତାଙ୍କ ବିଜୟ ଧାରା ଜାରି ରଖି କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । କିନ୍ତୁ ଭାରତର ଦୁଇ ପ୍ରମୁଖ ମହିଳା ଖେଳାଳି ପିଭି ସିନ୍ଧୁ ଓ ସାଇନା ନେହ୍ୱାଲ୍ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି । ଉଭୟ ଖେଳାଳି ସେମାନଙ୍କ ଦ୍ୱିତୀୟ ରାଉଣ୍ଡ୍ ମୁକାବିଲାରେ ପରାଜୟର ମୁହଁ ଦେଖିଛନ୍ତି । ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ତଥା ପ୍ରତିଯୋଗିତାର ଅଷ୍ଟମ ସିଡ୍ ଶ୍ରୀକାନ୍ତ ଗୁରୁବାର ଦ୍ୱିତୀୟ ରାଉଣ୍ଡ୍‌୍ ମୁକାବିଲାରେ ଚୀନ୍‌ର ଲୁ ଗୁଆଙ୍ଗ୍ ଜୁ’ଙ୍କୁ ୨୧-୧୬, ୨୧-୨୩, ୨୧-୧୮ରେ ପରାସ୍ତ କରିଛନ୍ତି ।

କ୍ୱାର୍ଟର୍‌ରେ ତାଙ୍କର ମୁକାବିଲା ଅଲିମ୍ପିକ୍ ଚାମ୍ପିଅନ୍ ତଥା ଟପ୍ ସିଡ୍ ଖେଳାଳି ଡେନ୍‌ମାର୍କର ଭିକ୍ଟର ଆକ୍ସେଲସନ୍‌ଙ୍କ ସହ ହେବ । କାରଣ ଆକ୍ସେଲ୍‌ସନ୍ ତାଙ୍କ ଦ୍ୱିତୀୟ ରାଉଣ୍ଡ୍ ମୁକାବିଲାରେ ଫ୍ରାନ୍ସର ଟୋମା ଜୁନିଅର୍ ପୋପୋଭ୍‌ଙ୍କୁ ୨୧-୧୭, ୨୧-୧-ରେ ପରାସ୍ତ କରିଛନ୍ତି । ଅନ୍ୟପକ୍ଷରେ ସପ୍ତମ ସିଡ୍ ସିନ୍ଧୁ ଚୀନ୍‌ର ଝାଙ୍ଗ୍ ୟି ମାନ୍‌ଙ୍କଠାରୁ ୫୫ ମିନିଟ୍ ବିଶିଷ୍ଟ ମୁକାବିଲାରେ ୧୪-୨୧, ୨୧-୧୫, ୧୪-୨୧ରେ ପରାସ୍ତ ହୋଇଛନ୍ତି । ସେହିପରି ସାଇନା କ୍ରମାଗତ ଫିଟ୍‌ନେସ୍ ସହ ଲଢ଼େଇ କରିଆସୁଥିବା ବେଳେ ମଙ୍ଗଳବାର ଥାଇଲାଣ୍ଡ୍ ରାଚାନୋକ୍ ଇଣ୍ଟାନନ୍‌ଙ୍କଠାରୁ ୧୦-୨୧, ୧୫-୨୧ରେ ପରାଜୟ ବରଣ କରିଛନ୍ତି ।

Leave A Reply

Your email address will not be published.