୭ ରୁ ଖୋଲିବ ସ୍କୁଲ ଓ କଲେଜ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୭ ତାରିଖରୁ ଅଷ୍ଟମ ଶ୍ରେଣୀ ଉପରକୁ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବ। ସ୍କୁଲ ଓ କଲେଜ ସହ ସମ୍ପୃକ୍ତ ହଷ୍ଟେଲ ଗୁଡ଼ିକ ମଧ୍ୟ ଖୋଲିବ । ଏଥିସହିତ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫେବୃଆରୀ ୧୪ରୁ ଖୋଲିବ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।

ମୁଖ୍ୟ ସଚିବ କହିଛନ୍ତି ଯେ, ରାଜ୍ୟରେ ୨ବର୍ଷ ଧରି କୋଭିଡ୍ ପରିସ୍ଥିତି ଯୋଗୁ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । କୋଭିଡର ୩ଟି ଲହରୀ ଯୋଗୁ ପିଲାମାନେ ଦୁଇବର୍ଷ ହେଲା ସ୍କୁଲ ଯାଇପାରୁନାହାନ୍ତି। ତୃତୀୟ ପର୍ଯ୍ୟାୟରେ ଓମିକ୍ରନ ଲହରୀ ଯୋଗୁ ଗତ ଏକମାସ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବା ପାଇଁ ବିଭିନ୍ନ ବର୍ଗରୁ ଚାପ ପଡ଼ୁଥିଲା । ତା’ସହିତ ୧୫ରୁ ୧୮ବର୍ଷ ବୟସର ପିଲାଙ୍କୁ ଟିକାକରଣ ମଧ୍ୟ ବ୍ୟାପକ ଭାବେ ହୋଇସାରିଛି। ପିଲାମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଆସନ୍ତା ସୋମବାରରୁ ଅଷ୍ଟମ ଶ୍ରେଣୀ ଓ ତଦୁର୍ଦ୍ଧ୍ୱ ପିଲାଙ୍କ ପାଠପଢ଼ା ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗ, କୃଷି ବିଭାଗ, ସାମାଜିକ ସଶକ୍ତିକରଣ ବିଭାଗ, ଅନୁସୂଚିତ ଜାତି ଜନଜାତି ବିଭାଗ, ସ୍ୱାସ୍ଥ୍ୟ ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ସ୍ୱାଭାବିକ ଭାବେ ଖୋଲିବ । ସମସ୍ତ ହଷ୍ଟେଲ ମଧ୍ୟ ଖୋଲିବ ।

Leave A Reply

Your email address will not be published.