ଚୁଟି କାଟୁ କାଟୁ ସୁନାଚେନ ଲୁଟୁଥିଲା ବାରିକ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଧୂର୍ତ୍ତ ଚୁଟି କଟାଳିର ଅଭିନବ ଲୁଟ । ରାଜଧାନୀରେ ଚୁଟି କାଟୁଥିବା ଏକ ଧୂର୍ତ୍ତ ଚୁଟିକଟାଳିକୁ ବାନ୍ଧିଛି କମିଶନରେଟ୍‌ ପୋଲିସ । ଚୁଟି କାଟୁ କାଟୁ ଗ୍ରାହକଙ୍କ ସୁନାଚେନ୍‌ କାଟିନେଉଥିବା ଚୋରକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଅଭିନବ ଉପାୟରେ ଲୁଟୁଥିବା ଏହି ଚୋର ହେଲା ଭରତପୁର ଲେନ୍‌ – ୪ର ନାରାୟଣ ଡାକୁଆ । ଅଭିଯୁକ୍ତ ଠାରୁ ପୋଲିସ୍‌ ୧୨ ଗ୍ରାମର ଏକ ସୁନା ଚେନ୍‌ ଜବତ କରିଛି ।

ସୂଚନା ଅନୁଯାୟୀ , ନାରାୟଣ ଡୁମୁଡୁମା ଫେଜ୍‌ – ୨ରେ ଥିବା ଏସ୍‌ଆର୍‌କେ ସେଲୁନ୍‌ରେ ବାରିକ ଭାବେ କାମ କରେ । ଗତ ୨୫ ତାରିଖରେ ସୌମ୍ୟରଞ୍ଜନ ପଣ୍ଡା ନାମକ ଜଣେ ଯୁବକ ଚୁଟି କାଟିବାକୁ ଉକ୍ତ ସେଲୁନ୍‌କୁ ଯାଇଥିଲେ । ବାରିକ ନାରାୟଣ ଡାକୁଆ ସୌମ୍ୟଙ୍କ ଚୁଟି କାଟୁ କାଟୁ ଅତି ଚତୁରତାର ସହ ତାଙ୍କ ବେକରୁ ୧୨ ଗ୍ରାମର ସୁନା ଚେନ୍‌ଟିକୁ କାଟି ନେଇଥିଲା । ପରେ ଏନେଇ ସୌମ୍ୟ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଏତଲା ଆଧାରାରେ ପୋଲିସ ଘଟଣାର ତଦନ୍ତ କରି ନାରାୟଣକୁ ଗିରଫ କରିବା ସହ ତା ପାଖରୁ ଚୋରି ସୁନାଚେନ୍‌ ଜବତ କରିଛି ।

Leave A Reply

Your email address will not be published.