ଆଇପିଏଲ୍-୧୫: ହାଇଦ୍ରାବାଦର ତୃତୀୟ ବିଜୟ

ମୁମ୍ବାଇ : ଚଳିତ ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣରେ ଶୁକ୍ରବାର ୨୫ତମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଗୁଜରାଟ ଟାଇଟାନ୍ସ ପ୍ରତିପକ୍ଷ କୋଲ୍‌କାତା ନାଇଟ୍ ରାଇଡର୍ସକୁ ୭ ୱିକେଟ୍‌ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ ପାଇଥିବା କୋଲ୍‌କାତା ୮ ୱିକେଟ୍ ହରାଇ ୧୭୫ ରନ୍ କରିଥିଲା । ଜବାବରେ ହାଇଦ୍ରାବାଦ ୧୭.୫ ଓଭର୍‌ରେ ମାତ୍ର ୩ଟିୱିକେଟ୍ ହରାଇ ବିଜୟୀ ହୋଇଛି । ତୃତୀୟ ବିଜୟ ସହ ହାଇଦ୍ରାବାଦ ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ୩ୟ ପରାଜୟ ପରେ କୋଲ୍‌କାତା ଚତୁର୍ଥକୁ ଖସିଆସିଛି ।

କୋଲ୍‌କାତା ଦୁଇ ଓପନର ଭେଙ୍କଟେଶ ଆୟର୍ (୬) ଓ ସଂସ୍କରଣରେ ପ୍ରଥମ ମ୍ୟାଚ୍ ଖେଳୁଥିବା ଆରୋନ୍ ଫିଞ୍ଚ୍ (୭)ଙ୍କୁ ସଅଳ ହରାଇଥିଲା । ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିôବା ସୁନୀଲ ନରିନ୍ ୬ ରନ୍‌ରେ ଆଉଟ୍ ହେବା ଫଳରେ ଦଳୀୟ ସ୍କୋର୍ ୩୧ରେ ପହଞ୍ଚିବା ବେଳକୁ ଦଳ ୩ଟି ୱିକେଟ୍ ହରାଇସାରିଥିଲା । ଏହି ସମୟରେ ଅଧିନାୟକ ଶ୍ରେୟସ୍ ଆୟର୍ ଓ ନୀତିଶ ରାଣାଙ୍କ ମଧ୍ୟରେ ୩୯ ରନ୍‌ର ଭାଗୀଦାରୀ ହେବା ଫଳରେ କୋଲ୍‌କାତା ସ୍ଥିତି ସାମାନ୍ୟ ସୁଧୁରିଥିଲା । ୩ଟି ଚୌକା ସହ ୨୮ ରନ୍ କରି ଶ୍ରେୟସ୍ ଆଉଟ୍ ହେବା ପରେ ଶେଲଡନ୍ ଜ୍ୟାକ୍‌ସନ୍ ମାତ୍ର ୭ ରନ୍‌ରେ ବିଦାୟ ନେଇଥିଲେ । ରାଣା ୬ଟି ଚୌକା ଓ ୨ଟି ଛକା ସହ ୫୪ ରନ୍ କରି ଆଉଟ୍ ହୋଇଥିଲେ ହେଁ ଆନ୍ଦ୍ରେ ରସେଲ୍ ହାଇଦ୍ରାବାଦ ଆଗରେ ଏକ ମୁକାବିଲାମୂଳକ ସ୍କୋର୍ ଛିଡ଼ା କରିଥିଲେ । ରସେଲ୍ ମାତ୍ର ୨୫ଟି ବଲ୍ ଖେଳି ୪ଟି ଲେଖାଏଁ ଚୌକା ଓ ଛକା ଜରିଆରେ ୪୯ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ୟାଟ୍ କମିନ୍ସ ୩ ଓ ଅମନ୍ ହକିମ୍ ଖାନ୍ ୫ ରନ୍ କରି ଆଉଟ୍ ହୋଇଥିବା ବେଳେ ଉମେଶ ଯାଦବ ୧ ରନ୍ କରି ଅପରାଜିତ ଥିଲେ । ହାଇଦ୍ରାବାଦ ପକ୍ଷରୁ ଟି. ନଟରାଜନ୍ ୩ଟି ଓ ଉମରାନ୍ ମଲିକ ୨ଟି ୱିକେଟ୍ ନେଇଥିଲେ । ୧୭୬ ରନ୍‌ର ଟାର୍ଗେଟ୍ ପାଇଁ ବ୍ୟାଟିଂ ଆରମ୍ଭ୍ କରିଥିବା ହାଇଦ୍ରାବାଦ ଓପନର ଅଭିଷେକ ଶର୍ମା ଓ ଅଧିନାୟକ କେନ୍ ୱିଲିମୟ୍‌ସନ୍ (୧୭)ଙ୍କୁ ଦଳୀୟ ସ୍କୋର୍ ୩୯ରେ ପହଞ୍ଚିବା ବେଳକୁ ହରାଇ ସାରିଥିଲା । ତେବେ ରାହୁଲ୍ ତ୍ରିପାଠୀ ଓ ଆଇଡେନ୍ ମାର୍କରାମ ୯୪ ରନ୍ ଯୋଡ଼ି ମ୍ୟାଚ୍‌ର ମୋଡ଼କୁ ବଦଳାଇ ଦେଇଥିଲେ । ବିଶେଷକରି ତ୍ରିପାଠୀ ଆକ୍ରମଣାତ୍ମକ ବ୍ୟାଟିଂ କରି ମାତ୍ର ୩୭ଟି ବଲ୍‌ରେ ୬ଟି ଚୌକା ଓ ୬ଟି ଛକା ସହ ୭୧ ରନ୍‌ର ଜବରଦସ୍ତ ଇନିଂସ ଖେଳିଥିଲେ । ତ୍ରିପାଠୀଙ୍କ ବିଦାୟ ପରେ ମାର୍କରାମ୍ ୬ଟି ଚୌକା ଓ ୪ ଛକା ସହାୟତାରେ ୬୮ ରନ୍ କରି ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ ।

Leave A Reply

Your email address will not be published.