ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ : ଜର୍ମାନୀ ଟାଇ ପାଇଁ ଭାରତୀୟ ଦଳ ଘୋଷିତ

ଭୁବନେଶ୍ୱର : ଆସନ୍ତା ୧୪ ଓ ୧୫ ତାରିଖରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଭାରତୀୟ ପୁରୁଷ ଦଳ ଚଳିତ ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍‌ରେ ଜର୍ମାନୀକୁ ଭେଟିବ । ଏହି ଦୁଇ ମ୍ୟାଚ୍ ବିଶିଷ୍ଟ ଟାଇ ସକାଶେ ସୋମବାର ହକି ଇଣ୍ଡିଆ ପକ୍ଷରୁ ଏକ ୨୨ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳର ଅଧିନାୟକ ପଦ ଓଡ଼ିଆ ଡିଫେଣ୍ଡର୍ ଅମିତ୍ ରୋହିଦାସ ବଜାୟ ରଖିଥିବାବେଳେ ହରମନପ୍ରୀତ୍ ସିଂହ ଉପଅଧିନାୟକ ଦାୟିତ୍ୱ କାଏମ ରଖିଛନ୍ତି । ସେହିପରି ଦଳରେ ଅନ୍ୟତମ ଓଡ଼ିଆ ଖେଳାଳି ଭାବେ ଶିଳାନନ୍ଦ ଲାକ୍ରା ତାଙ୍କ ସ୍ଥାନ ବଜାୟ ରଖିଛନ୍ତି । ଦଳରେ ସାମିଲ୍ ଥିବା ଖେଳାଳିଙ୍କ ମଧ୍ୟରେ ଦୁଇ ଗୋଲ୍‌କିପର୍ ପିଆର୍ ଶ୍ରୀଜେଶ ଓ କ୍ରିଶନ୍ ବାହାଦୁର ପାଠକଙ୍କ ସହ ଡିଫେଣ୍ଡର୍ ବରୁନ୍ କୁମାର, ସୁରେନ୍ଦର କୁମାର, ଯୁଗରାଜ ସିଂହ, ଜରମନ୍‌ପ୍ରୀତ୍ ସିଂ ଓ ଗୁରିନ୍ଦର ସିଂହ ରହିଛନ୍ତି ।

ସେହିପରି ମିଡ୍‌ଫିଲ୍‌ଡର୍ ଭାବେ ଦଳରେ ନୀଳକାନ୍ତ ଶର୍ମା, ମନପ୍ରୀତ୍ ସିଂହ, ବିବେକ ସାଗର ପ୍ରସାଦ, ଶମଶେର୍ ସିଂହ, ହାର୍ଦ୍ଦିକ ସିଂହ ଓ ମୋଇରାଙ୍ଗଥେମ୍ ରବିଚନ୍ଦ୍ର ସିଂହ ରହିଛନ୍ତି । ଆହୁରି ଫରୱାର୍ଡରେ ସୁଖଜିତ୍ ସିଂହ, ଅଭିଷେକ, ମନଦୀପ ସିଂହ, ଦିଲପ୍ରୀତ୍ ସିଂହ, ଲଳିତ କୁମାର ଉପାଧ୍ୟାୟ ଓ ଆକାଶଦୀପ ସିଂହ ସ୍ଥାନ ପାଇଛନ୍ତି । ଦଳ ଘୋଷଣା ସମ୍ପର୍କରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ କହିଛନ୍ତି ଯେ ଚଳିତ ବର୍ଷର ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ଆମକୁ ଅନେକ ଯୁବ ଖେଳାଳିଙ୍କୁ ପରୀକ୍ଷାନିରୀକ୍ଷା କରିବାର ଉତ୍ତମ ସୁଯୋଗ ଦେଇଛି । ଚଳିତ ବର୍ଷ ଜର୍ମାନୀ ବିପକ୍ଷରେ ଆମର ଶେଷ ଘରୋଇ ଟାଇ ରହିଛି । ଏଥିରେ ଭଲ ପ୍ରଦର୍ଶନ ମାଧ୍ୟମରେ ଘରୋଇ ସଂସ୍କରଣକୁ ଶେଷ କରିବାକୁ ଖେଳାଳିମାନେ ଉଦ୍ୟମ କରିବେ ।

Leave A Reply

Your email address will not be published.