ଆଇପିଏଲ୍-୧୫: ଏଲଏସଜିର ତୃତୀୟ ବିଜୟ

ମୁମ୍ବାଇ : ଚଳିତ ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣରେ ଗୁରୁବାର ପଞ୍ଚଦଶ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ (ଏଲ୍‌ଏସ୍‌ଜି) ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟ୍‌ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇବା ପରେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭର୍‌ରେ ୩ଟି ୱିକେଟ୍ ହରାଇ ୧୪୯ ରନ୍ କରିଥିଲା । ଜବାବରେ ଏଲ୍‌ଏସ୍‌ଜି ୧୯.୪ ଓଭର୍‌ରେ ୪ଟି ୱିକେଟ୍ ହରାଇ ୧୫୫ ରନ୍ କରି ପ୍ରତିଯୋଗିତାରେ ନିଜର ତୃତୀୟ ବିଜୟ ହାସଲ କରିବା ସହ ପଏଣ୍ଟ୍ ଟେବଲ୍‌ରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି ।

ଦିଲ୍ଲୀ ପକ୍ଷରୁ ଦୁଇ ଓପନର ପୃଥ୍ୱୀ ଶ’ ଓ ପ୍ରଥମ ମ୍ୟାଚ୍ ଖେଳୁଥିବା ଡେଭିଡ୍ ୱାର୍ଣ୍ଣର୍ ପ୍ରଥମ ୱିକେଟ୍‌ରେ ୬୭ ରନ୍ ଯୋଡ଼ିଥିଲେ । ସେମାନଙ୍କ ମଧ୍ୟରୁ ପୃଥ୍ୱୀ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ସେ ୩୪ଟି ବଲ୍ ଖେଳି ୯ଟି ଚୌକା ଓ ୨ଟି ଛକା ସହ ୬୧ ରନ୍ କରି ଆଉଟ୍ ହେବା ବେଳକୁ ୱାର୍ଣ୍ଣର୍ ମାତ୍ର ୪ ରନ୍ କରିଥିଲେ । ପନ୍ତ୍ ୩ଟି ଚୌକା ଓ ୨ଟି ଛକା ସହ ୩୯ ରନ୍ କରିଥିବା ବେଳେ ତାଙ୍କ ସହ ଅପରାଜିତ ଥିବା ସର୍ଫରାଜ ୨୮ଟି ବଲ୍ ଖେଳି ୩ଟି ଚୌକା ମାଧ୍ୟମରେ ୩୬ ରନ୍ କରିଥିଲେ ।

ଏଲ୍‌ଏସ୍‌ଜି ପାଇଁ ଦୁଇ ଓପନର ଅଧିନାୟକ ଲୋକେଶ ରାହୁଲ୍ ଓ ଡି’କକ୍ ୭୩ ରନ୍ ଯୋଡ଼ି ଦଳକୁ ବିଜୟ ଆଡ଼କୁ ଅଗ୍ରସର କରାଇନେଇଥିଲେ । ଦିଲ୍ଲୀ ପରି ଏଲ୍‌ଏସ୍‌ଜି ପକ୍ଷରୁ ମଧ୍ୟ ଭାଗୀଦାରୀରେ ଡି’କକ୍ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ।

Leave A Reply

Your email address will not be published.