୯ରେ ଖେଳିବେ ମ୍ୟାକ୍ସୱେଲ୍

ମୁମ୍ବାଇ : ଚଳିତ ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆର୍‌ସିବି) ଅଦ୍ୟାବଧି ଦଳର ଅନ୍ୟତମ ତାରକା ଖେଳାଳି ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର୍ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବ୍ୟତୀତ ଖେଳିଆସିଛି । ତେବେ ଦଳ ଆସନ୍ତା ୯ ତାରିଖରୁ ମ୍ୟାକ୍ସୱେଲଙ୍କ ସେବା ଉପଲବ୍ଧ କରିପାରିବ ବୋଲି ଜଣାପଡ଼ିଛି । ଏନେଇ ମଙ୍ଗଳବାର ଦଳର ମୁଖ୍ୟ କୋଚ୍ ମାଇକ୍ ହେସନ୍ ସୂଚନା ଦେଇଛନ୍ତି । ଅବଶ୍ୟ ଇତିମଧ୍ୟରେ ମ୍ୟାକ୍ସୱେଲ୍ ଟିମ୍ ସହ ଯୋଗ ଦେଇସାରିଛନ୍ତି । ସେ ତାଙ୍କର ଧାର୍ଯ୍ୟ କ୍ୱାରେଣ୍ଟାଇନ୍ ପିରିଅଡ୍ ଶେଷ କରିବା ପରେ କ୍ୟାମ୍ପ୍‌ରେ ସାମିଲ୍ ହୋଇସାରିଥିଲେ ମଧ୍ୟ ମଙ୍ଗଳବାର ଖେଳାଯାଇଥିବା ଦଳର ରାଜସ୍ଥାନ ରୟାଲ୍ସ ବିପକ୍ଷ ମୁକାବିଲାରେ ଭାଗ ନେଇପାରିନାହାନ୍ତି ।

ଅଷ୍ଟ୍ରେଲିଆର ଅନ୍ୟାନ୍ୟ ଖେଳାଳିମାନେ ସେମାନଙ୍କ ଫ୍ରାଞ୍ଚାଇଜି ସହ ବୁଧବାର ପରେ ଯୋଗଦେବେ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା । କାରଣ ପାକିସ୍ତାନ ବିପକ୍ଷ ସୀମିତ ଓଭର୍ ସିରିଜ୍ ଶେଷ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ । ଅବଶ୍ୟ ପାକିସ୍ତାନ ବିପକ୍ଷ ଏକମାତ୍ର ଟି-୨୦ ଦଳରେ ମ୍ୟାକ୍ସୱେଲ୍ ନ ଥିଲେ । ତଥାପି ତାଙ୍କୁ ନିଜ ଫ୍ରାଞ୍ଚାଇଜି ପକ୍ଷରୁ ଖେଳିବା ସକାଶେ ଏପ୍ରିଲ୍ ୬ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ତେଣୁ ଆସନ୍ତା ୯ରେ ସେ ଆର୍‌ସିବିର ମୁମ୍ବାଇ ବିପକ୍ଷ ମୁକାବିଲାରେ ଖେଳିବେ ବୋଲି ହେସନ୍ କହିଛନ୍ତି । ତାଙ୍କ କହିବାନୁସାରେ, କ୍ରିକେଟ୍ ଅଷ୍ଟ୍ରେଲିଆର ନିୟମ ଅନୁସାରେ, ଏହାର କୌଣସି ଚୁକ୍ତିବଦ୍ଧ ଖେଳାଳି ଏପ୍ରିଲ୍ ୬ ପୂର୍ବରୁ ଆଇପିଏଲ୍‌ରେ ଯୋଗ ଦେଇପାରିବେ ନାହିଁ । ସେହିପରି ଦଳ ପାଇଁ ଖେଳିବା ସକାଶେ ଚୁକ୍ତିବଦ୍ଧ ହୋଇଥିବା ଅନ୍ୟତମ ଅଷ୍ଟ୍ରେଲୀୟ ଖେଳାଳି ପେସର୍ ଜୋଶ୍ ହେଜଲଉଡ୍ ମଧ୍ୟ ଆଗାମୀ ସପ୍ତାହ ପୂର୍ବରୁ କୌଣସି ମ୍ୟାଚ୍ ସକାଶେ ଉପଲବ୍ଧ ହେବେନାହିଁ । ସେ ଦିନେ ଦୁଇ ଦିନ ଭିତରେ ଯଦିଓ ଟିମ୍ ସହ ଯୋଗଦେବେ, କିନ୍ତୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍ ନିୟମ ପାଳନ ପରେ ହିଁ ଚୟନ ପାଇଁ ଉପଲବ୍ଧ ହେବେ ।

Leave A Reply

Your email address will not be published.