ଆଇସିସି ମହିଳା ଦିନିକିଆ ମାନ୍ୟତା : ଖସିଲେ ମିତାଲି, ଉଠିଲେ ମନ୍ଧାନା

ଦୁବାଇ : ମଙ୍ଗଳବାର ଆଇସିସି ପକ୍ଷରୁ ପ୍ରକାଶିତ ମହିଳା ଦିନିକିଆ ମାନ୍ୟତାରେ ଭାରତୀୟ କ୍ୟାପ୍‌ଟେନ୍ ମିତାଲି ରାଜ୍ ବ୍ୟାଟିଂ ତାଲିକାରେ ଗୋଟିଏ ସ୍ଥାନ ହରାଇଥିବା ବେଳେ ଷ୍ଟାର୍ ଓପ୍‌ନର୍ ସ୍ମୃତି ମନ୍ଧାନା ଗୋଟିଏ ସ୍ଥାନ ଉପରକୁ ଉଠି ନବମରେ ପହଞ୍ଚିଛନ୍ତି । ନିକଟରେ ଶେଷ ହୋଇଥିବା ମହିଳା ବିଶ୍ୱକପ୍‌ରେ ଖରାପ ପ୍ରଦର୍ଶନ କରିଥିବା ମିତାଲି ୬୮୬ ରେଟିଂ ପଏଣ୍ଟ୍ ସହ ବ୍ୟାଟିଂ ମାନ୍ୟତାର ସପ୍ତମ ସ୍ଥାନକୁ ଖସି ଆସିଛନ୍ତି । ଭାରତୀୟ କ୍ୟାପ୍‌ଟେନ୍ ଟୁର୍ଣ୍ଣାମେଣ୍ଟ୍‌ରେ ମୋଟ ସାତଟି ମ୍ୟାଚ୍‌ରୁ ୨୬ ହାରାହାରିରେ ମୋଟ ୧୮୨ ରନ୍ କରିଥିଲେ ।

ଅନ୍ୟପକ୍ଷରେ ମନ୍ଧାନା (୬୬୯ ପଏଣ୍ଟ) ସାତଟି ମ୍ୟାଚ୍‌ରୁ ୪୬.୭୧ ହାରରେ ମୋଟ ୩୨୭ ରନ୍ କରିଥିଲେ । ଏହା ମଧ୍ୟରେ ଗୋଟିଏ ଶତକ (୧୨୩ ରନ୍‌) ସାମିଲ ଥିଲା । ଏହି ଦୁହିଁଙ୍କ ବ୍ୟତୀ ଭାଇସ୍ କ୍ୟାପ୍‌ଟେନ୍ ହରମନ୍‌ପ୍ରୀତ୍ କୌର୍ ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଦ୍ଦଶରେ ପହଞ୍ଚିଛନ୍ତି । ବିଶ୍ୱକପ୍‌ରେ ସେ ୩୧୮ ରନ୍ ସହ ଭାରତ ପକ୍ଷରୁ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର୍ ଥିଲେ। ୧୦୯ ରନ୍ ତାଙ୍କର ସର୍ବଶ୍ରେଷ୍ଠ ଥିଲା । ଇଂଲଣ୍ଡ ବିପକ୍ଷ ଫାଇନାଲ୍‌ରେ ୧୭୦ ରନ୍ ସ୍କୋର୍ କରିବା ପରେ ଅଷ୍ଟ୍ରେଲୀୟ ୱିକେଟ୍‌କିପର୍‌-ବ୍ୟାଟର୍ ଆଲିସା ହିଲି ବ୍ୟାଟିଂ ମାନ୍ୟତା ଶୀର୍ଷକୁ ଉଠିଛନ୍ତି । ଅନ୍ୟପକ୍ଷରେ ଭେଟେରାନ୍ ଇଂଲିଶ୍ ସ୍ୱିଙ୍ଗ୍ ବୋଲର୍ ଆନ୍ୟ ଶ୍ରୁବ୍‌ସୋଲ୍ ପାଞ୍ଚଟି ସ୍ଥାନ ଉପରକୁ ଉଠି ବୋଲିଂ ତାଲିକାର ଶୀର୍ଷ ୧୦ରେ ପ୍ରବେଶ କରିଛନ୍ତି । ଭେଟେରାନ୍ ଭାରତୀୟ ପେସର୍ ଝୁଲନ୍ ଗୋସ୍ୱାମୀ ବୋଲିଂ ତାଲିକାର ପଞ୍ଚମ ସ୍ଥାନରେ କାଏମ ଥିବାବେଳେ ଅଲ୍‌ରାଉଣ୍ଡର୍ ର‌୍ୟାଙ୍କିଙ୍ଗ୍‌ର ଦଶମ ସ୍ଥାନରେ ଅଛନ୍ତି । ଅନ୍ୟତମ ଭାରତୀୟ ଅଲ୍‌ରାଉଣ୍ଡର୍ ଦୀପ୍ତି ଶର୍ମା ସପ୍ତମ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.