ଆଇସିସି ଟେଷ୍ଟ୍ ର଼୍ୟାଙ୍କିଙ୍ଗ୍ : ଅଲ୍ରାଉଣ୍ଡର୍ ଶୀର୍ଷରେ ଜାଡେଜା

ଦୁବାଇ : ଆଇସିସି ପକ୍ଷରୁ ବୁଧବାର ପ୍ରକାଶିତ ଟେଷ୍ଟ୍ ର଼୍ୟାଙ୍କିଙ୍ଗରେ ଭାରତର ରବୀନ୍ଦ୍ର ଜାଡେଜା ପୁଣିଥରେ ଅଲ୍‌ରାଉଣ୍ଡର୍ ସୂଚୀ ଶୀର୍ଷକୁ ଫେରିଛନ୍ତି । ଚଳିତ ମାସ ପ୍ରାରମ୍ଭରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ରେ ଅପରାଜିତ ୧୭୫ ରନ୍ ସଂଗ୍ରହ ସହ ୯ ୱିକେଟ୍ ହାସଲ କରିଥିବା ଜାଡେଜା ୱେଷ୍ଟଇଣ୍ଡିଜ୍‌ର ଜେସନ୍ ହୋଲ୍ଡର୍‌ଙ୍କୁ ହଟାଇ ନଂ୧ ସ୍ଥାନକୁ ଉଠିଥିଲେ । ତେବେ ଗତ ସପ୍ତାହରେ ସେ ଏହି ସ୍ଥାନ ହରାଇଥିଲେ ଏବଂ ହୋଲ୍ଡର୍ ପୁଣିଥରେ ଶୀର୍ଷସ୍ଥାନ ଦଖଲ କରିଥିଲେ । ତେବେ ଦୁଇ ଖେଳାଳିଙ୍କ ମଧ୍ୟରେ ପୁଣିଥରେ ସ୍ଥାନ ପରିବର୍ତ୍ତନ ହୋଇଛି ଏବଂ ୩୮୫ ରେଟିଂ ପଏଣ୍ଟ ସହ ଜାଡେଜା ଶୀର୍ଷ ସ୍ଥାନକୁ ଫେରିଛନ୍ତି । ଅନ୍ୟତମ ଭାରତୀୟ ରବିଚନ୍ଦ୍ରନ୍ ଅଶ୍ୱିନ୍ ଅଲ୍‌ରାଉଣ୍ଡର୍ ସୂଚୀର ତୃତୀୟ ଏବଂ ବୋଲର୍ ସୂଚୀର ଦ୍ୱିତୀୟ ସ୍ଥାନରେ ପୂର୍ବପରି କାଏମ ରହିଛନ୍ତି । ଗତ ସପ୍ତାହରେ ଛଅଟି ସ୍ଥାନ ଉପରକୁ ଉଠିଥିବା ଭାରତର ପ୍ରମୁଖ ପେସର୍ ଜସ୍‌ପ୍ରୀତ୍ ବୁମ୍‌ରା ବୋଲିଂ ସୂଚୀର ଚତୁର୍ଥ ସ୍ଥାନରେ ସ୍ଥିର ରହିଛନ୍ତି ।

ଅନ୍ୟପକ୍ଷରେ ଭାରତର ଶୀର୍ଷ ର‌୍ୟାଙ୍କ୍‌ର ବ୍ୟାଟ୍ସମ୍ୟାନ୍ ଟିମ୍ ଇଣ୍ଡିଆ କ୍ୟାପ୍‌ଟେନ୍ ରୋହିତ ଶର୍ମା ବ୍ୟାଟିଂ ସୂଚୀରେ ଗୋଟିଏ ସ୍ଥାନ ତଳକୁ ଖସି ସପ୍ତମରେ ପହଞ୍ଚିଛନ୍ତି । ତେବେ ପୂର୍ବତନ କ୍ୟାପ୍‌ଟେନ୍ ବିରାଟ କୋହଲି ଓ ଋଷଭ ପନ୍ତ୍ ଏହି ସୂଚୀର ଯଥାକ୍ରମେ ନବମ ଓ ଦଶମ ସ୍ଥାନ ବଜାୟ ରଖିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପାକିସ୍ତାନ ସ୍କିପର୍ ବାବର୍ ଆଜମ୍ ତିନିଟି ସ୍ଥାନର ଲାଭ ସହ ବ୍ୟାଟିଂ ସୂଚୀର ପଞ୍ଚମ ନମ୍ବରକୁ ଉଠିଛନ୍ତି । ସେହିପରି ପାକିସ୍ତାନର ମହମ୍ମଦ ରିଜ୍‌ୱାନ୍ ଓ ଅଷ୍ଟ୍ରେଲିଆର ଉସ୍‌ମାନ୍ ଖୱାଜା ମଧ୍ୟ ଚଳିତ ର‌୍ୟାଙ୍କିଙ୍ଗ୍‌ରେ ବିଶେଷ ଲାଭବାନ ହୋଇଛନ୍ତି । ରିଜ୍‌ୱାନ୍ ଛଅଟି ସ୍ଥାନର ଉନ୍ନତି ସହ ଡେଭିଡ୍ ୱାର୍ଣ୍ଣର୍‌ଙ୍କ ସହ ମିଳିତ ଭାବେ ଏକାଦଶ ସ୍ଥାନରେ ପହଞ୍ଚିଥିବା ବେଳେ ଖୱାଜା ଏଗାର ସ୍ଥାନର ଉନ୍ନତି ସହ ତ୍ରୟୋଦଶ ସ୍ଥାନରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.