ଟେନିସରୁ ଆଶଲେ ବାର୍ଟିଙ୍କ ସନ୍ନ୍ୟାସ

ସିଡ୍‌ନୀ : ବିଶ୍ୱର ନଂ୧ ମହିଳା ଟେନିସ୍ ଖେଳାଳି ଆଶ୍‌ଲେ ବାର୍ଟି ମାତ୍ର ୨୫ ବର୍ଷ ବୟସରେ ପେସାଦାର ଟେନିସ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ବୁଧବାର ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଏହି ଘୋଷଣା କରି ବାର୍ଟି ସାରା କ୍ରୀଡ଼ା ଜଗତକୁ ଚକିତ କରି ଦେଇଛନ୍ତି । ବାର୍ଟି ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଛନ୍ତି ‘ଆଜିର ଦିନ ମୋ ପାଇଁ ବହୁ କଠିନ, କାରଣ ମୁଁ ଟେନିସ୍‌ରୁ ସନ୍ନ୍ୟାସ ଘୋଷଣା କରୁଛି । ଏହି ଖେଳ ମୋତେ ଯାହା କିଛି ଦେଇଛି ସେଥିପାଇଁ ମୁଁ କୃତଜ୍ଞ ଏବଂ ଗର୍ବ ଅନୁଭବ କରୁଛି । ଏହି ଅବସରରେ ଯେଉଁମାନେ ମୋତେ ସମର୍ଥନ କରିଛନ୍ତି, ସେମାନଙ୍କୁ ଧନ୍ୟବାଦ ।’

ଏହି ନିଷ୍ପତ୍ତି ବାର୍ଟି ଅଚାନକ ନେଇ ନାହାନ୍ତି । ଗତବର୍ଷ ୱିମ୍ବଲଡନ୍ ଟାଇଟଲ୍ ଜିତିବା ପରେ ସନ୍ନ୍ୟାସ ସମ୍ପର୍କରେ ଚିନ୍ତା କରିଥିଲେ । ସେ କହିଛନ୍ତି, ବହୁ ସମୟ ଧରି ସନ୍ନ୍ୟାସ ସମ୍ପର୍କରେ ଚିନ୍ତା କରୁଥିଲି । ମୋ କ୍ୟାରିୟର୍‌ରେ ବହୁ ସ୍ମରଣୀୟ ମୁହୂର୍ତ୍ତ ଆସିଛି, ଯାହା ବହୁ ମହତ୍ତ୍ୱପୂର୍ଣ୍ଣ ଥିଲା । ଗତବର୍ଷ ୱିମ୍ବଲଡନ୍ ଜଣେ ଖେଳାଳି ଭାବେ ମୋ ମଧ୍ୟରେ ବହୁ ପରିବର୍ତ୍ତନ ଆଣିଥିଲା । ସେ ଆହୁରି କହିଛନ୍ତି ‘ମୋ ମଧ୍ୟରେ ସେପରି ଶକ୍ତି କିମ୍ବା ଇଚ୍ଛାଶକ୍ତି ନାହିଁ ବୋଲି ବହୁଥର ମୋ ଟିମ୍‌କୁ କହିଛି । ମୁଁ ଶାରୀରିକ ଭାବେ ନିଜକୁ ପ୍ରସ୍ତୁତ କରିପାରୁ ନଥିଲା ଏବଂ ଆଉ କିଛି କରିପାରିବି ବୋଲି ମୋତେ ଲାଗୁ ନଥିଲା । ମୁଁ ଟେନିସ୍‌କୁ ନିଜର ସବୁ କିଛି ଦେଇଛି ଏବଂ ସେଥିରେ ମୁଁ ବହୁତ ଖୁସି । ମୋ ପାଇଁ ଏହା ପ୍ରକୃତ ସଫଳତା ।’

Leave A Reply

Your email address will not be published.