ଅଲ୍ ଇଂଲଣ୍ଡ ବ୍ୟାଡମିଣ୍ଟନ ଚମ୍ପିଆନ୍ସିପ୍ : ସେନଙ୍କୁ ରୌପ୍ୟ

ବର୍ମିଂହାମ୍‌ : ଦୀର୍ଘ ୨୧ ବର୍ଷ ପରେ ଭାରତୀୟ ଭାବେ ସମ୍ମାନଜନକ ଅଲ୍‌ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌ର ଫାଇନାଲରେ ପହଞ୍ଚିଥିବା ଭାରତର ଉଦୀୟମାନ ଖେଳାଳି ଲକ୍ଷ୍ୟ ସେନ୍‌ ଶେଷ ବାଧା ଅତିକ୍ରମ କରି ପାରିନାହାନ୍ତି। ରବିବାର ପୁରୁଷ ସିଙ୍ଗଲ୍‌ସ ଫାଇନାଲରେ ଲକ୍ଷ୍ୟଙ୍କୁ ବିଶ୍ବର ୧ନଂ ଖେଳାଳି ଡେନ୍‌ମାର୍କର ଭିକ୍ଟର ଆକ୍‌ଜେଲସେନ୍‌ ୨୧-୧୦, ୨୧-୧୫ ଗେମ୍‌ରେ ଲକ୍ଷ୍ୟଙ୍କୁ ପରାସ୍ତ କରିଛନ୍ତି। ପୂରା ମ୍ୟାଚ୍‌ରେ ପ୍ରାଧାନ୍ୟ ବିସ୍ତାରକରି ୫୩ ମିନିଟରେ ଆକ୍‌ଜେଲସେନ୍‌ ବିଜୟୀ ହୋଇଥିଲେ।
ଚଳିତ ଟୁର୍ଣ୍ଣାମେଣ୍ଟରେ ଲକ୍ଷ୍ୟ ବିଶ୍ବର ୩ନଂ ଖେଳାଳି ଡେନ୍‌ମାର୍କର ଆଣ୍ଡର୍ସ ଆଣ୍ଟୋନ୍‌ସେନ୍‌ ଓ ଗତବର୍ଷର ଚମ୍ପିଆନ୍ ମାଲେସିଆର ଲି ଜି ଜିଆଙ୍କୁ ପରାସ୍ତକରି ଫାଇନାଲରେ ପହଞ୍ଚିଥିଲେ। ତେବେ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। ଭାରତୀୟ ଭାବେ ପୂର୍ବରୁ ୧୯୮୦ରେ ପ୍ରକାଶ ପାଦ୍ୟୁକୋନ୍ ଓ ୨୦୦୧ରେ ପି. ଗୋପୀଚାନ୍ଦ ଅଲ୍‌ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ ହୋଇଥିଲେ। ଉତ୍ତରାଖଣ୍ଡର ଆଲ୍‌ମୋଡ଼ାର କୁମାୟୁଁ ପରିବାରରେ ଜନ୍ମଗ୍ରହଣ କରିଥିବା ୨୦ ବର୍ଷ ବୟସ୍କ ଲକ୍ଷ୍ୟ ସେନ୍‌ ଗତବର୍ଷ ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପରେ କାଂସ୍ୟ ପଦକ ଜିତି ତାଙ୍କ ପ୍ରତିଭାର ପରିଚୟ ଦେଇଥିଲେ। ବାଙ୍ଗାଲୋରର ପ୍ରକାଶ ପାଦ୍ୟୁକୋନ୍ ଏକାଡେମୀରେ ଲକ୍ଷ୍ୟ ଏବେ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷଣ ନେଉଛନ୍ତି। ଗତବର୍ଷ ବିଶ୍ବ ଚମ୍ପିଆନ୍‌ସିପ ପଦକ ଜିତିବା ପରେ ୨୦୨୨ରେ ଲକ୍ଷ୍ୟ ଆହୁରି ଭଲ ପ୍ରଦର୍ଶନ କରିଥିଲେ। ଚଳିତବର୍ଷ ବିଶ୍ବର ୧୧ନଂ ପୁରୁଷ ସିଙ୍ଗଲ୍‌ସ ଖେଳାଳି ଲକ୍ଷ୍ୟ ଜର୍ମାନ୍ ଓପନ୍‌ରେ ଭିକ୍ଟର ଆକ୍‌ଜେଲସେନଙ୍କ ସହ ବିଶ୍ବ ଚମ୍ପିଆନ୍ ଲୋହ୍‌ କିନ୍ ୟିୟୁ ଓ ଅଲିମ୍ପିକ୍‌ ପଦକ ବିଜେତା ଏ. ଜିନ୍‌ଟିଙ୍ଗ୍‌ଙ୍କୁ ପରାସ୍ତ କରିଥିଲେ।

Leave A Reply

Your email address will not be published.