ମହିଳା ବିଶ୍ୱକପ୍: ଭାରତକୁ ପରାସ୍ତ କରି ସେମିରେ ଅଷ୍ଟ୍ରେଲିଆ

ଅକଲାଣ୍ଡ : ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ସେମିଫାଇନାଲ୍‌ରେ ପ୍ରଥମ ଦଳ ଭାବେ ପ୍ରବେଶ କରିଛି ଅଷ୍ଟ୍ରେଲିଆ । ଦଳ ତା’ର ପ୍ରଥମ ୫ଟିଯାକ ମ୍ୟାଚ୍‌ରେ ବିଜୟୀ ହୋଇ ଏହି ପର୍ଯ୍ୟାୟରେ ପହଞ୍ଚିଛି । ଶନିବାର ଭାରତକୁ ୬ ୱିକେଟ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଅଦ୍ୟାବଧି ଅପରାଜେୟ ରହିବା ସହ ପଏଣ୍ଟ୍ ଟେବଲ୍ ଶୀର୍ଷରେ କାଏମ ରହିଛି ।

ଟସ୍ ହାରିବା ପରେ ବ୍ୟାଟିଂ ପାଇଁ ଭାରତ ଆମନ୍ତ୍ରଣ ପାଇଥିଲା । ଦଳ ୭ ୱିକେଟ୍‌ରେ ୨୭୭ ରନ୍ କରିଥିଲେ ହେଁ ଅଷ୍ଟ୍ରେଲିଆ ହାତରେ ୬ଟି ୱିକେଟ୍ ଓ ୩ଟି ବଲ୍ ବାକି ଥିବା ସମୟରେ ୨୮୦ ରନ୍ କରି ବିଜୟୀ ହୋଇଥିଲା । ଅଧିନାୟିକା ମେଗ୍ ଲାନିଙ୍ଗ୍ ୯୭ ରନ୍‌ର ଆକର୍ଷଣୀୟ ଇନିଂସ ଖେଳି ଦଳକୁ ସେମିରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ନେଇଥିଲେ । ତେଣୁ ତାଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଜିତିବା ଫଳରେ ଭାରତୀୟ ବ୍ୟାଟ୍ସଓମ୍ୟାନ୍ ୟାସ୍ତିକା ଭାଟିଆ, ଅଧିନାୟିକା ମିତାଲି ରାଜ୍ ଓ ଉପଅଧିନାୟିକା ହରମନପ୍ରୀତ୍ କୌରଙ୍କ ଅର୍ଦ୍ଧଶତକ ବେକାର ଯାଇଥିଲା । ତୃତୀୟ ପରାଜୟ ସହ ଭାରତ ପଏଣ୍ଟ୍ ଟେବଲ୍‌ରେ ଚତୁର୍ଥ ସ୍ଥାନରେ ଅପରିବର୍ତ୍ତିତ ରହିଥିବା ବେଳେ ତା’ର ଷଷ୍ଠ ମ୍ୟାଚ୍ ଆସନ୍ତା ମଙ୍ଗଳବାର ହାମିଲଟନ୍‌ଠାରେ ବାଂଲାଦେଶ ବିପକ୍ଷରେ ଖେଳିବ ।

Leave A Reply

Your email address will not be published.