ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍: ଆର୍ଜେଣ୍ଟିନାକୁ ୪-୩ରେ ଜିତିଲା ଭାରତ

ଭୁବନେଶ୍ୱର : ଚଳିତ ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍‌ରେ ଭାରତ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ ପରିସରସ୍ଥ ହକି କମ୍ପେ୍ଲକ୍ସଠାରେ ତା’ର ଆର୍ଜେଣ୍ଟିନା ବିପକ୍ଷ ଲେଗ୍‌କୁ ବିଜୟ ସହ ଶେଷ କରିଛି । ଏହି ଲେଗ୍‌ର ପ୍ରଥମ ମ୍ୟାଚ୍‌ଟି ଯଦିଓ ଆର୍ଜେଣ୍ଟିନା ୨-୨ରେ ଡ୍ର’ ରଖି ପରେ ଶୁଟ୍‌ଆଉଟ୍ ମାଧ୍ୟମରେ ବୋନସ୍ ପଏଣ୍ଟ୍ ପାଇଥିଲା, କିନ୍ତୁ ଦ୍ୱିତୀୟ ଲେଗ୍‌ରେ ଭାରତ ୪-୩ର ଚମତ୍କାର ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ର ଶେଷ ମିନିଟ୍ ପର୍ଯ୍ୟନ୍ତ ଉଭୟ ଦଳ ୩ଟି ଲେଖାଏଁ ଗୋଲ୍ କରିଥିବା ବେଳେ ଏହା ମଧ୍ୟ ଶୁଟ୍‌ଆଉଟ୍‌କୁ ଯିବ ବୋଲି ପ୍ରଶଂସକ ଧରିନେଇଥିଲେ । କିନ୍ତୁ ଶେଷ ମିନିଟ୍‌ରେ ମନଦୀପ ସିଂହ ଏକ ଚମତ୍କାର ଫିଲ୍‌ଡ ଗୋଲ୍ ଦେଇ ସ୍ଥିତିକୁ ୪-୩ରେ ପହଞ୍ଚାଇବା ସହ ମ୍ୟାଚ୍‌ରେ ଭାରତକୁ ଚିତ୍ତାକର୍ଷକ ବିଜୟ ଦେଇଥିଲେ।

ମ୍ୟାଚ୍‌ର ପ୍ରଥମ ଓ ଦ୍ୱିତୀୟ କ୍ୱାର୍ଟର୍‌ରେ ଆର୍ଜେଣ୍ଟିନା ପାଖରେ ଅଧିକାଂଶ ସମୟ ବଲ୍ ରହିଥିଲା। କିନ୍ତୁ ଦଳକୁ ଏହାର ଫାଇଦା ମିଳିପାରି ନ ଥିଲା । ବରଂ ଭାରତ ପ୍ରଥମ ୩୦ ମିନିଟ୍‌ର ଖେଳରେ ୨-୦ରେ ଅଗ୍ରଣୀ ହାସଲ କରିଥିଲା । ଦଳ ଦ୍ୱିତୀୟ କ୍ୱାର୍ଟର୍‌ରେ ମ୍ୟାଚ୍‌ର ସପ୍ତଦଶ ମିନିଟ୍‌ରେ ହାର୍ଦ୍ଦିକ ସିଂହଙ୍କ ପେନାଲ୍‌ଟି କର୍ଣ୍ଣର୍‌ରୁ ଅର୍ଜିତ ଗୋଲ୍ ମାଧ୍ୟମରେ ଆଗୁଆ ରହିଥିଲା । ପରେ ବିଂଶତମ ମିନିଟ୍‌ରେ ଯୁଗରାଜ ମଧ୍ୟ ପେନାଲ୍‌ଟି କର୍ଣ୍ଣର୍‌କୁ ଗୋଲ୍‌ରେ ପରିଣତ କରିଥିଲେ । ଏହି ୧୫ ମିନିଟ୍‌ର ଖେଳରେ ଆର୍ଜେଣ୍ଟିନାକୁ ବି ୨ଟି ପେନାଲ୍‌ଟି କର୍ଣ୍ଣର୍ ମିଳିଥିଲା । କିନ୍ତୁ ଭାରତର ଡିଫେନ୍ସ ବେଶ୍ ସଜାଗ ଥିବାରୁ ଦଳ କୌଣସି ଗୋଲ୍ ଦେଇପାରି ନ ଥିଲା । ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଭାରତ ୨-୦ରେ ଆଗୁଆ ରହିଥିଲା । ତେବେ ତୃତୀୟ କ୍ୱାର୍ଟର୍‌ରେ ୪୦ତମ ମିନିଟ୍‌ରେ ନିକୋଲାସ୍ ଡେଲା ଟୋରେ ଆର୍ଜେଣ୍ଟିନା ପାଇଁ ପେନାଲ୍‌ଟି କର୍ଣ୍ଣର୍‌ରୁ ପ୍ରଥମ ଗୋଲ୍ ଦେଇଥିଲେ । କିନ୍ତୁ ପ୍ରଥମ ୪୫ ମିନିଟ୍ ଖେଳ ଶେଷ ସୁଦ୍ଧା ବି ଭାରତ ଆଗୁଆ ରହିଥିଲା । ତେବେ ଶେଷ କ୍ୱାର୍ଟର୍‌ରେ ମାତ୍ର ୫ ମିନିଟ୍ ବ୍ୟବଧାନରେ ଆର୍ଜେଣ୍ଟିନା ଦୁଇଟି ଗୋଲ୍ ଦେବାରୁ ସ୍ଥିତି ବରାବର ହୋଇଯାଇଥିଲା । ୫୧ତମ ମିନିଟ୍‌ରେ ଟୋମାସ୍ ଡୋମେନ୍ ପେନାଲ୍‌ଟି ଷ୍ଟ୍ରୋକ୍‌ରୁ ଓ ୫୬ତମ ମିନିଟ୍‌ରେ ମାର୍ଟିନ୍ ଫେରିରୋ ଫିଲ୍ଡ ଗୋଲ୍ ଦେଇଥିଲେ । ଶେଷ ମିନିଟ୍‌ରେ ଭାରତ ଅଗ୍ରଣୀ ଲାଭ କରିବା ସହ ମ୍ୟାଚ୍‌ର ଫଳାଫଳ ନିଜ ସପକ୍ଷରେ କରାଇନେଇଥିଲା । ଏହି ବିଜୟ ସହ ଭାରତ ପଏଣ୍ଟ୍ ଟେବଲ୍‌ରେ ଦ୍ୱିତୀୟ ସ୍ଥାନରେ ବଳବତ୍ତର ରହିଛି । ଏକ ନମ୍ବରରେ ଥିବା ନେଦରଲାଣ୍ଡ୍‌ସ ସହ ଭାରତର ପଏଣ୍ଟ୍ ସଂଖ୍ୟା ସମାନ ଥିଲେ ହେଁ ଗୋଲ୍ ବ୍ୟବଧାନରେ ଏହା ପଛରେ ରହିଛି ।

Leave A Reply

Your email address will not be published.