ଆଇସିସି ମହିଳା ବିଶ୍ୱକପ୍: ନ୍ୟୁଜିଲାଣ୍ଡ ୧୪୧ ରନ୍ ରେ ପରାସ୍ତ

ୱେଲିଂଟନ୍‌ : ଏଲିସ୍ ପେରୀ, ତାହଲିଆ ମ୍ୟାକ୍‌ଗ୍ରାଥ୍ ଓ ଆଶ୍‌ଲେ ଗାର୍ଡନର୍‌ଙ୍କ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ନିଜର ତୃତୀୟ ଲିଗ୍ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୧୪୧ ରନ୍‌ରେ ହରାଇ ଚଳିତ ଆଇସିସି ମହିଳା ବିଶ୍ୱକପ୍‌ର କ୍ରମାଗତ ତୃତୀୟ ବିଜୟ ହାସଲ କରିଛି । ପେରୀ (୬୮) ଓ ମ୍ୟାକ୍‌ଗ୍ରାଥ୍ (୫୭)ଙ୍କ ଅର୍ଦ୍ଧଶତକ ଏବଂ ଗାର୍ଡନର୍‌ଙ୍କ ୧୮ ବଲ୍‌ରେ ୪୮ ରନ୍‌ର ଇନିଂସ୍ ସହାୟତାରେ ଅଷ୍ଟ୍ରେଲିଆ ଚ୍ୟାଲେଞ୍ଜିଙ୍ଗ୍ ୨୬୯ ରନ୍‌ର ସ୍କୋର୍ ଛିଡ଼ା କରିଥିଲା । ଜବାବରେ ଅଷ୍ଟ୍ରେଲିଆ ବୋଲର୍‌ଙ୍କ ଶାଣିତ ଆକ୍ରମଣର ସମ୍ମୁଖୀନ ହୋଇ ନପାରି ନ୍ୟୁଜିଲାଣ୍ଡ ୩୦.୨ ଓଭର୍‌ରେ ମାତ୍ର ୧୨୮ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା । ଏହି ବିଜୟ ସହିତ ଅଷ୍ଟ୍ରେଲିଆ ୬ ପଏଣ୍ଟ ସହ ଭାରତକୁ ହଟାଇ ତାଲିକା ଶୀର୍ଷରେ ପହଞ୍ଚିଛି । ଏଲିସ୍ ପେରୀଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା ।

ପ୍ରଥମେ ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆର ଆରମ୍ଭ ମଧ୍ୟ ଭଲ ନଥିଲା । ଦୁଇ ଓପ୍ନର୍ ରାଚେଲ୍ ହେନ୍ସ (୩୦) ଓ ଆଲିସା ହିଲି (୧୫) ୯.୫ ଓଭର୍‌ରେ ମାତ୍ର ୩୭ ରନ୍ ଯୋଡ଼ିଥିଲେ ମଧ୍ୟ ଟିମ୍ ୫୪ ରନ୍‌ରେ ୩ଟି ୱିକେଟ୍ ହରାଇଥିଲା । ତେବେ ପେରୀ ଓ ବେଥ୍ ମୁନି (୩୦) କିଛି ସମୟ ପାଇଁ ଇନିଂସ୍ ସମ୍ଭାଳି ଚତୁର୍ଥ ୱିକେଟ୍ ପାଇଁ ୫୭ ରନ୍ ଯୋଡ଼ିଥିଲେ । ମୁନିଙ୍କ ଆଉଟ୍ ପରେ କ୍ରିଜ୍‌ରେ ଯୋଗଦେଇଥିବା ମ୍ୟାକ୍‌ଗ୍ରାଥ୍‌ଙ୍କ ସହ ପେରୀ ଶତକୀୟ ପାର୍ଟନର୍‌ଶିପ୍ କରିବା ସହ ଟିମ୍‌ର ସ୍କୋର୍ ୨୦୦ ରନ୍ ପାର୍ କରାଇଥିଲେ । ଏଲିସ୍ ପେରୀ ଛଅ ଚୌକା ଓ ଗୋଟିଏ ଛକା ସହ ୮୬ ବଲ୍‌ରୁ ୬୮ ରନ୍ କରିଥିବା ବେଳେ ମ୍ୟାକ୍‌ଗ୍ରାଥ୍ ୫୬ ବଲ୍‌ରୁ ଆଠ ଚୌକା ସହାୟତାରେ ୫୭ ରନ୍ କରିଥିଲେ । ଏହାପରେ ଗାର୍ଡନର୍‌ଙ୍କ ୧୮ ବଲ୍‌ରେ ୪୮ ରନ୍‌ର ଇନିଂସ୍ ସହାୟତାରେ ଅଷ୍ଟ୍ରେଲିଆ ସ୍କୋର୍ ୮/୨୬୯ରେ ପହଞ୍ଚିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଲିଆ ତାହୁହୁ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.